ବ୍ୟାଙ୍କ ରୁଣ ସୁଝି ନ ପାରିବାରୁ ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ସମ୍ପତିକୁ ଦଖଲରେ ନେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବ୍ୟାଙ୍କ ରୁଣ ନେଇ ଅଡୁଆରେ ନାଉଗାଁ ବ୍ଲକ ପୂର୍ବତନ ବିଜେଡି ସଭାପତି ତଥା ଅଲଣା ସେବା ସମବାୟ ସମିିତି ସଭାପତି ସୁଜିତ କୁମାର ମଲ୍ଲିକ । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବାରମ୍ବାର ନୋଟିସ ହେବା ପରେ ମଧ୍ୟ ସୁଜିତ ରୁଣ ପରିଶୋଧ କରି ନ ପାରିବାରୁ ବନ୍ଧକ ଦିଆଯାଇଥିବା ସମ୍ପତିକୁ ଶୁକ୍ରବାର ଦଖଲରେ ନେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ବ୍ୟାଙ୍କ କତୃପକ୍ଷଙ୍କ ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡାଂଶ ଗ୍ରାମର ରବିନ୍ଦ୍ରନାଥ ମଲ୍ଲିକଙ୍କ ପୁଅ ସୁଜିତ କାଂଚନ ଫିଲିଙ୍ଗ୍ ଷ୍ଟେସନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ରୁଣ ନେଇଥିଲେ । ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ସୁଜିତ ୩୭ ଲକ୍ଷ ୪୬ ହଜାର ୫୪ ଟଙ୍କା ରୁଣ ପରିଶୋଧ କରିପାରିନଥିଲେ । ଏହି ରୁଣ ଅର୍ଥ ପରିଶୋଧ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସୁଜିତଙ୍କୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଯାହାଫଳରେ ବ୍ୟାଙ୍କ ପୁନରୁଦ୍ଧାର ଶାଖାର ମୁଖ୍ୟ ପରିଚାଳକ ଦିଲ୍ଲିପ କୁମାର ବିଶ୍ୱାଳ, ନାଉଗାଁ ଅତିରିକ୍ତ ତହସିଲଦାର ତଥା ମ୍ୟାଜିଷ୍ଟେଟ ଶରତ ପରିଡା,ନାଉଗାଁ ଥାନାଧିକାରିଣୀ ସଂଘମିତ୍ରା ନାୟକ ଆଦି ସୁଜିତଙ୍କ ଘୋଡାଂଶସ୍ଥିତ ବାସଭବନରେ ପହଁଚିଥିଲେ । ରୁଣ ସମୟରେ ବନ୍ଧକ ଦିଆଯାଇଥିବା ସମ୍ପତିକୁ ମ୍ୟାଜିଷ୍ଟେଟ ଉପସ୍ଥିତିରେ ବ୍ୟାଙ୍କ ନିଜ ଦଖଲରେ ନେଇଥିବା ଜଣାଯାଇଛି । ଏସଂର୍ପକରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।