ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ କାମ ଏବଂ ଦୃଢ଼ ପ୍ରବର୍ତ୍ତନ ଉପରେ ଗୁରୁତ୍ୱ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱରରେ “ନୀଳ ଗଗନ ପାଇଁ ବିଶୁଦ୍ଧ ବାୟୁ” ଶୀର୍ଷକ ଆନ୍ତର୍ଜାତିକ ଦିବସ ବହୁ ଆଗ୍ରହ ଏବଂ ପ୍ରତିଶୃତି ବଦ୍ଧତାର ସହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ୱସ୍ତି ପ୍ରିମିଅମ୍ ପରିସରରେ ଏକ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାୟୁ ପ୍ରଦ୍ୟୁଷଣ କରୁଥିବା ଅନେକ କାରକ ଗୁଡିକୁ ସାଧାରଣତଃ ଖାଲି ଆଖିରେ ଦେଖିହୁଏ ନାହିଁ । ତେଣୁ ବାୟୁ ପ୍ରଦ୍ୟୁଷଣ ବିଷୟରେ ଲୋକମାନଙ୍କୁ ସଠିକ୍ଭାବେ ଜଣାଇବା ପାଇଁ ବ୍ୟାପକ ଓ ସଘନ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର । ବାୟୁର ଜିଲ୍ଲା, ରାଜ୍ୟ ବା ଦେଶ ଆଦି ପରିସର ନାହିଁ । ତେଣୁ ସମସ୍ତ ପ୍ରଦ୍ୟୁଷଣର କାରକ ଓ ବସ୍ତୁକୁ ସେଗୁଡିକର ସୃଷ୍ଟି ସ୍ଥାନରେ ହିଁ ସତର୍କତାର ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ସବୁଜ ବଳୟ ଏବଂ ଜଙ୍ଗଲର ଘନତାରେ ଦୃଶ୍ୟମାନ ଅବିବୃଦ୍ଧି ହାସଲ ହୋଇଛି । ପ୍ରତି ବର୍ଷ ଅବିବୃଦ୍ଧି ପ୍ରକ୍ରିୟା ବଜାୟ ରହିଛି । ବାୟୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ଏବଂ ଜିଲ୍ଲାୱାରୀ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ଦିବସ ପାଳନ ଅବସରରେ ହେଉଥିବା ଆଲୋଚନା ଚକ୍ରରୁ ପ୍ରାପ୍ତ ସିଦ୍ଧାନ୍ତଗୁଡିକୁ ମଧ୍ୟ କାର୍ଯ୍ୟ ଯୋଜନାରେ ସାମିଲ କରାଯିବ ଏବଂ ସେସବୁର କାର୍ଯ୍ୟାୟନ ନିମନ୍ତେ ଆବଶ୍ୟକୀୟ ପାଣ୍ଠିର ଅଭାବ ହେବ ନାହିଁ । ବର୍ତ୍ତମାନ ଉଭୟ ବ୍ୟକ୍ତିଗତ ଓ ସାଙ୍ଗଠନିକ ସ୍ତରରେ ବାସ୍ତବ କାର୍ଯ୍ୟ, ସଘନ ସଚେତନତା ଏବଂ ନିୟମଗୁଡିକର ଦୃଢ଼ ପ୍ରବର୍ତ୍ତନ ଜାରି ରଖିବାକୁ ଆଲୋଚନା ଚକ୍ରରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରାୟନ ସ୍ତରରେ ପୂର୍ଣ୍ଣ ସମନ୍ୱୟ ଓ ସହଭାଗିତା ସହ କାମ କରିବାକୁ କହିଥିଲେ । ଆଲୋଚନା ଚକ୍ରରେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ୨୦୧୯ ମସିହାରେ ଆରମ୍ଭ କରାଯାଇଥିବା ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ (ଏନ୍.ସି.ଏ.ପି.) ରେ ଆସନ୍ତା ୫ ମଧ୍ୟରେ ୨୦ ରୁ ୩୦ ପ୍ରତିଶତ ବାୟୁ ପ୍ରଦ୍ୟୁଷଣ କମାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସମସ୍ତେ ମିଳିତଭାବେ କାର୍ଯ୍ୟକଲେ ଆମେ ଏହି ଲକ୍ଷ୍ୟ ହାସଲ କରିବା ସହ ଓଡ଼ିଶାକୁ ଏକ ଉତ୍ତମ ବାସଯୋଗ୍ୟ ରାଜ୍ୟରେ ପରିଣତ କରିପାରିବା । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ବର୍ତ୍ତମାନ ପୃଥିବୀ ଜନସଂଙ୍ଖ୍ୟାର ଏକ ସିଂହଭାଗ ପ୍ରଦ୍ୟୁଷଣ ବଳୟରେ ଅଛନ୍ତି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସମସ୍ୟା ଅଧିକ ଜଟିଳ । ଓଡ଼ିଶାରେ ପରିବହନ ଜାତ ବାୟୁ ପ୍ରଦ୍ୟୁଷଣ କମାଇବା ପାଇଁ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଥିବା ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହନ, ଅଧିକ ପ୍ରଦ୍ୟୁଷଣ ସୃଷ୍ଟିକାରୀ ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା, ଇ-ଯାନ ଉତ୍ପାଦନ ନିମନ୍ତେ ସରକାରୀ ସହଯୋଗ ଓ ସବ୍ସିଡ଼ି ଆଦି ବିଷୟରେ ସେଠୀ ସବିଶେଷ ସୂଚନା ଦେଇଥିଲେ । ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଏବଂ ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ନିଜ ନିଜ ବିଭାଗରେ ବର୍ଜ୍ୟବସ୍ତୁ ପରିଚାଳନା , ପ୍ରଦ୍ୟୁଷଣ ଆଦି ନିମନ୍ତେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ଼ାକ୍ତର କେ.ମୁରୁଗେଶାନ ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଉପସ୍ଥାପନ କରିବା ସହ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ପରେ ପରେ ୨ ଟି ବୈଷୟିକ ବୈଠକରେ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟତଃ ଜାତୀୟ ବିଶୁଦ୍ଧ ବାୟୁ ପ୍ରଦ୍ୟୁଷଣ କାର୍ଯ୍ୟକ୍ରମ, ଏନ୍.ସି.ଏ.ପି.ର ପ୍ରାଣ ପୋର୍ଟାଲ, ପ୍ରଦ୍ୟୁଷଣ ନିର୍ଗମନ ଏବଂ ଉତ୍ସରେ ଏହାର ନିୟନ୍ତ୍ରଣ, ସାଟେଲାଇଟ୍ ମଧ୍ୟରେ ବାୟୁ ପ୍ରଦ୍ୟୁଷଣ ନିରୀକ୍ଷଣ, ପ୍ରଦ୍ୟୁଷଣ କାରକଗୁଡିକର ବାୟୁର ଗୁଣାତ୍ମକମାନ ଉପରେ ପ୍ରଭାବ ପ୍ରକ୍ରିୟା ଆଦି ବିଷୟରେ ଆଲୋଚନା ହୋଇଥିଲା । ଡ଼ାକ୍ତର ନିହାର ରଂଜନ ସାହୁ, ସୋନାଲ୍ ଜେନ୍, ପ୍ରଫେସର କାକୋଲି କେ.ପଲ୍, ଅନୁମିତା ରାୟଚୌଧୂରୀ, ଡ଼ାକ୍ତର ଯୋଗେଶ ସାଠେ, ଡ଼ାକ୍ତର ଭିନୋଜ ଭି. ଏବଂ ଡ଼ାକ୍ତର ବୋପତୀ ଆର ପ୍ରମୁଖ ବିଶେଷଜ୍ଞମାନେ ଏସବୁ ବିଷୟ ଉପରେ ନିଜ ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ