ବ୍ୟାପିଲା ଫାଟୁଆ ରୋଗ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଏବେ ଫାଟୁଆ ରୋଗ ବ୍ୟାପିବାରେ ଲାଗିଛି । ଫଳରେ ଅନେକ ଗୋରୁଗାଈ ଆକ୍ରାନ୍ତ ହୋଇଥିବାବେଳେ ବାଛୁରୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ଶାସଙ୍ଗ, ହାଟଡିହି, ପନ୍ଦାଡୋ ଆଦି ପଞ୍ଚାୟତରେ ଗତ କିଛିଦିନ ଭିତରେ ଅନେକ ଗାଈ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏବେ ହାତୀ କରିଡର ନିକଟ ଗ୍ରାମ ମାନଙ୍କରେ ଆନ୍ଥ୍ରାକ୍ସ ପ୍ରତିଷେଧକ ଦିଆଯାଉ ଥିବାବେଳେ ପୋଡାସିଙ୍ଗିଡି ଗ୍ରାମରେ ଗତ ଦୁଇଦିନ ତଳେ ଜଂଗଲ ବିଭାଗ ଓ ପଶୁଚିକିତ୍ସା ବିଭାଗ ପକ୍ଷରୁ ଗୋରୁ ଗାଈଙ୍କୁ ଆନ୍ଥ୍ରାକ୍ସ ପ୍ରତିଷେଧକ ଦିଆଯିବାପରେ ଗ୍ରାମର ୩ / ୪ଟି ଗୋରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା । ସେହିପରି ଶାସଙ୍ଗ ଗ୍ରାମରେ ଗତ କିଛିଦିନ ଭିତରେ ୨୦ରୁ ୩୦ଗୋରୁଙ୍କୁ ଫାଟୁଆ ରୋଗ ହୋଇଥିବା ଜଣାଯାଇଛି । ହାଟଡିହିରେ ମଧ୍ୟ ଅନେକ ଗୋରୁ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ମରୈଗାଁ ପଶୁଚିକିତ୍ସା ଅଧିକାରୀ ରଶ୍ମୀ ରଞ୍ଜନ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୋଡାସିଙ୍ଗିଡ ରେ ଗୋରୁଗାଈ ମରିଥିବା ଖବରପାଇ ଆମେ ଯାଇ ତଦନ୍ତ କଲାପରେ ମାତ୍ର ଦୁଇଟି ବାଛୁରୀ ଫାଟୁଆ ରୋଗରେ ମରିଥିବା ଜଣାପଡିଥିଲା । ଆନ୍ଥ୍ରାକ୍ସ ପ୍ରତିଷେଧକ ଯୋଗୁଁ କିଛି ଅସୁବିଧା ହୋଇ ନାହିଁ । ସେହିପରି ଫାଟୁଆ ରୋଗର ପ୍ରତିଷେଧକ ପାଇଁ ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ।


