ବ୍ୟାସକବି ନଗର ବିକାଶ ପରିଷଦର ବାର୍ଷିକ ସମ୍ମିଳନୀ ଓ ଫକୀରମୋହନଙ୍କ ଜୟନ୍ତୀ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା) : ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୨ତମ ଜୟନ୍ତୀ ଓ ବ୍ୟାସକବି ନଗର ବିକାଶ ପରିଷଦର ୩୨ତମ ବାର୍ଷିକ ଉତ୍ସବ ସହଦେବଖୁଣ୍ଟାସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱର ଶିବମନ୍ଦିର ପରିସରରେ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ସମ୍ମାନିତ ଅତିଥିଭାବେ ବ୍ରିଟ୍ର ଅଧ୍ୟକ୍ଷ ଆଲୋକ କୁମାର ସାହୁ, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବିଧାୟକ କିଶୋର ଦାଶ, ପୂର୍ବତନ ଉପନଗରପାଳ ମନୋଜ ରାଉତ, କାଉନ୍ସିଲର ଦେବାଶିଷ ସିଂହ ଓ ଶଶିରେଖା ମହାନ୍ତି ଯୋଗ ଦେଇଥିଲେ । ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା କବି କାଳିପଦ ପଣ୍ଡା ଫକୀରମୋହନଙ୍କ ସୃଷ୍ଟି ସମ୍ଭାରରେ ସାଧାରଣ ବର୍ଗର ମଣିଷମାନଙ୍କୁ ନେଇ ଗଳ୍ପ, କବିତା, ଉପନ୍ୟାସ ଓ ଭ୍ରମଣ କାହାଣୀ ଲେଖି ଓଡ଼ିଆ ଭାଷାକୁ ଜନାଦୃତ କରିପାରିଥିଲେ ବୋଲି ମତ ଦେଇଥିଲେ । ଫକୀରମୋହନଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପପ୍ରଦାନ କରିବା ପରେ ସାଧାରଣ ସଭା ପରିଷଦର ସଭାପତି ରଞ୍ଜନ କୁମାର ଭୋଇଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ଉପାଧ୍ୟାୟ ମଞ୍ଚ ପରିଚାଳନା କରିଥିଲେ ଓ ସାଧାରଣ ସଂପାଦକ ନରେନ୍ଦ୍ର କୁମାର ସ୍ୱାଇଁ ବାର୍ଷିକ ବିବରଣୀ, ଆୟବ୍ୟୟର ହିସାବ ଓ ନୂତନ କର୍ମକର୍ତ୍ତାଙ୍କ ନାମ ପାଠ କରିଥିଲେ । ପରିଷଦର କର୍ମକର୍ତ୍ତା ଅଖିଳ କୁମାର ଦାସ, ଭଗବାନ ମହନୀ, ନିରଞ୍ଜନ ପରିଡ଼ା ଓ ଅକ୍ଷୟ କୁମାର ତ୍ରିପାଠୀ ସେମାନଙ୍କ ବକ୍ତବ୍ୟରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ନିବେଦନ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭାତୃଭାବ ଓ ସାଂସ୍କୃତିକ ଚେତନା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ବୋଲି ମତ ଦେଇଥିଲେ । ବକ୍ତୃତା, ଚିତ୍ରାଙ୍କନ, ମୁରୁଜ ଓ କୌତୁକ ପୋଷାକର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପରିଷଦର ୫ଜଣ ବରିଷ୍ଠ ସଦସ୍ୟ ଓ ବିଶେଷ ସେବା ପ୍ରଦାନ ପାଇଁ ୨ଜଣଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଷଦର ପ୍ରତିଷ୍ଠାତା ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୩୨ ବର୍ଷର ପରମ୍ପରା ଅନୁଯାୟୀ ପଙ୍କ୍ତି ଭୋଜନରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଡମ୍ବରୁଧର ପ୍ରଧାନ, ସଂଜୟ କୁମାର ଚୌଧୁରୀ, ବିନୋଦ ବିହାରୀ ପଣ୍ଡା, ଅଶୋକ କୁମାର ଦାଶ, ରାଜକିଶୋର ରାଉତ, ସରସ୍ୱତୀ ପଣ୍ଡା, ଅର୍ଚ୍ଚନା ସେନ୍, ନିହାରିକା ପଟ୍ଟନାୟକ, ମାମିନା ମିଶ୍ର, ସଂଜୁଲତା ବେହେରା, ରଜତ ପରିଡ଼ା, ସୁବ୍ରତ ଦାଶ, ମୁକୁନ୍ଦ ମୁରାରୀ ଦାସ, ଗୁଣାକର ଦେ, ଆଦିତ୍ୟ ମହାନ୍ତି ଓ ଅରବିନ୍ଦ ବେଜ ପ୍ରମୁଖ ସହଯୋଗ କରିଥିଲେ ।