ବ୍ୟାସ ପୂର୍ଣ୍ଣିମା / ଗୁରୁ ପୂର୍ଣ୍ଣିମା

(ଯୁଗାବ୍ଦ ନ୍ୟୁଜ)  ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର, ମୀମାଂସା ପ୍ରଭୃତିର ପ୍ରଣେତା ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି, ହେଉଛି ଆଷାଢ଼ମାସ ପୂର୍ଣ୍ଣିମାଦିନ । ଏହା ବ୍ୟାସ ପୂର୍ଣ୍ଣିମା ନାମେ ଖ୍ୟାତ ସେ ମଧ୍ୟ ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ । ମହର୍ଷି ବ୍ୟାସଦେବ ହସ୍ତିନାପୁରର ମହାରାଣୀ ସତ୍ୟବତୀ ଏବଂ ଋଷି ପରାଶଙ୍କର ପୁତ୍ର ଅଟନ୍ତି । ବେଦ ପରି ବୃହତ୍ ଗ୍ରନ୍ଥକୁ ସେ ଋକ୍ବେଦ, ଯଜୁର୍ବେଦ, ସାମବେଦ ଓ ଅଥର୍ବ ବେଦ ଏହିପରି ଚାରୋଟି ଭାଗ (ବ୍ୟାସ) କରିଥିବାରୁ ଏବଂ ଯଥାକ୍ରମେ ତାଙ୍କର ଚାରିଶିଷ୍ୟ ଜୈଲ୍ୟ, ଜୈମିନି, ବୈଶମ୍ପାୟନ ଓ ସୁମନ୍ତଙ୍କୁ ପ୍ରଚାର ଓ ପ୍ରସାର ଦାୟିତ୍ୱ ଦେଇଥିବାରୁ ତାଙ୍କୁ ମଧ୍ୟ ବେଦ ବ୍ୟାସ ରୂପେ ନାମିତ କରାଯାଇଛି । ତାଙ୍କର ନିର୍ଦ୍ଦେଶକ୍ରମେ ଏବଂ ବାର୍ତ୍ତା ଅବଗତକୁ ନେଇ ଜନୈକ ଶିଷ୍ୟ ଲୋମହର୍ଷର୍ଣଙ୍କ ଦ୍ୱାରା ସେ ମହାଭାରତ ରଚନା ଆରମ୍ଭ କରିଥିଲେ । ଜନ୍ମପରେ ସେ ତପସ୍ୟା ନିମନ୍ତେ ଦ୍ୱୈପାୟନ ଦୀପକୁ ଯାଇଥିଲେ । ଜନ୍ମରୁ କୃଷ୍ଣ ବା ରଙ୍ଗରେ କଳା ଥିବାରୁ ଏହି ଦୁଇ କାରଣକୁ ନେଇ ତାଙ୍କର ଭିନ୍ନ ନାମ ରଖାଯାଇଥିଲା କୃଷ୍ଣ ଦ୍ୱୈପାୟନ । ବେଦବ୍ୟାସ ଅରୁଣିଙ୍କ ପତି ତଥା ଶ୍ରୀ ଶୁକଦେବଙ୍କ ପିତା ଥିଲେ । ସେ ମଧ୍ୟ କୌରବ ଓ ପାଣ୍ଡବମାନଙ୍କର ପିତାମହ ଥିଲେ । ସେ ତ୍ରିକାଳଦର୍ଶୀ ଥିଲେ । ହସ୍ତିନାପୁରର ଭବିଷ୍ୟ ତଥା ବିଭିନ୍ନ ସମସ୍ୟାର ସମାଧାନ ନେଇ ସେ ମାତା ସତ୍ୟବତୀଙ୍କୁ ସମୟକାଳୀନ ପରାମର୍ଶ ଦେଉଥିଲେ ଅଥବା ତାଙ୍କ ସହିତ ବିଚାରବିମର୍ଷ କରୁଥିଲେ ।  ତାଙ୍କ ଜନ୍ମତିଥିର ଅନ୍ୟନାମ ଗୁରୁପୂର୍ଣ୍ଣିମା । ଗୁରୁ ପରମ୍ପରାରେ ଗୁରୁମାନେ ତାଙ୍କ ଶିଷ୍ୟମାନଙ୍କୁ ଅନ୍ଧକାରରୁ ଜ୍ଞାନର ଆଲୋକ ପ୍ରଦର୍ଶନ କରନ୍ତି । ଏଣୁ ଶାସ୍ତ୍ରରେ କୁହାଯାଇଛି :
ଗୃଳାରୋଦ୍ଧନ୍ଦରାରସ୍ତୁ ରୁ କାରସ୍ତ ନିବର୍ତ୍ତକଃ ।
ଅନ୍ଧକାର ନିବୃତ୍ୟାତୁ ଗୁରୁତିତ୍ୟରି ଧୀୟତେ ।
‘ଗୁ’ କହିଲେ ଅନ୍ଧାର ଏବଂ ‘ରୁ’ର ଅର୍ଥ ଅଜ୍ଞାନ ଅର୍ଥାତ୍ ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ଆଲୋକ ପ୍ରଦର୍ଶନ କରନ୍ତି । ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ଗୁରୁ ଅର୍ଥରେ ସେ ଓଜନଦାର ବା ମହାମହିମ । ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ଓ ମହେଶ୍ୱର୍ଙ୍କ ସହିତ ତୁଳନା କରାଯାଇଛି । ଶାସ୍ତ୍ରମତେ :
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।
ବ୍ୟାସଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି
ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ
ଆଭାଲ ଲୋଚଚନଃ ଶମ୍ଭୁ ଭଗବାନ ବାଦରାୟାଣଃ ।
ମାତା, ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ, ପିତା ଦ୍ୱିତୀୟ ଗୁରୁ ଏବଂ ଶିକ୍ଷାଦାତା ହିଁ ତୃତୀୟଗୁରୁ । ଭାଗବତରେ ଲେଖାଯାଇଛି : ଗୁରୁ ନଥାଇ ସଦ୍ଜ୍ଞାନ, କାହୁଁ ତୁ ପାଇବୁ ଅର୍ଜୁନ । ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ, ସୁନିୟନ୍ତ୍ରକ, ପୁରାଣମତେ ଗୌତମ, ଯାମିନି, କଣ୍ୱ, କପିଳ, ମାର୍କଣ୍ଡେୟ, ପତଞ୍ଜଳି, ବ୍ୟାସଦେବ, ଦୈøଣ, କୃପାଚାର୍ଯ୍ୟ,ଏବଂ ସ୍ୱୟଂ ଭଗବାନ କୃଷ୍ଣ ତଥା ପରବର୍ତ୍ତୀ କାଳରେ ଆଦିଶଙ୍କର ମଧୋଚାର୍ଯ୍ୟ,ବାସବ, ଧ୍ୟାନେଶ୍ୱର, ଚୈତନ୍ୟ, ଜୟନ୍ତଭଟ୍ଟ, ରାମାନୁଜ, କବୀର, ମଧୁସୂଦନ, ମାଧବ, ନାମଦେବ, ନିମ୍ବାର୍କ, ପ୍ରଭାକର, ରାମଦାସ, ତୁକାରାମ ଏବଂ ତୁଳସୀଦାସ ଇତ୍ୟାଦି ପ୍ରମୁଖ ଅଟନ୍ତି । ସେହିପର ତ୍ରେତୟା ଯୁଗରେ ଯେତେ ଯୋୀଗୀ ଋଷି ଯଥା ବଶିଷ୍ଠ, ସନ୍ଦିପନୀ, ସାଣ୍ଡୁଲ୍ୟ…ଇତ୍ୟାଦି ମହାନ୍ ଗୁରୁମାନଙ୍କର ଦୃଷ୍ଟାନ୍ତ । ଗୁରୁମାନଙ୍କ ଠାରୁ ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟମାନଙ୍କର ଜୀବନରେ ପ୍ରତିଫଳିତ ହୋଇଥାଏ । ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ ମଣିଷ ଜାତିକୁ ଯେଉଁ ମହାନ ଶିକ୍ଷା ଦେଇଛନ୍ତି ତାହା: ଯାହା ନାହିଁ ଭାରତେ, ତାହା ନାହିଁ ଭାରତେ ଅର୍ଥାତ୍ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ବୋଲି ବୁଝାଯାଏ । ଏଇଥିପାଇଁ ଭାରତରେ ସମସ୍ତ ପୌରାଣିକ କିମ୍ପଦନ୍ତୀ ଅଥବା ପ୍ରାମାଣିକ ତଥ୍ୟମାନ ବର୍ତ୍ତମାନ ସମଗ୍ର ବିଶ୍ୱପାଇଁ ଗବେଷଣାର ସାମଗ୍ରୀ ପାଲଟିଛି । ଆମ ଜୀବନର ପ୍ରତିଟି ବିଭାଗ ପାଇଁ ଏହା ବର୍ତ୍ତମାନ ମହାନ ବିଭବରୂପେ ସମୃଦ୍ଧି କରୁଛି । ଏ ଦୃଷ୍ଟିରୁ ଆମର ଅଷ୍ଟାଦଶ ପୁରାଣ, ମହାଭାରତ, ଗୀତା ଏବଂ ବିଶେଷକରି ଆମ ପାଇଁ ଶ୍ରୀମଦ୍ ଭାଗବତର ସରଳୀ କରଣ ରୂପ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ବିଚାର୍ଯ୍ୟ ଅଟେ । ଏମିତିରେ ବ୍ୟାସଦେବ ଆମର ମହାନ୍ ଗୁରୁ ଅଟନ୍ତି । ଏଣୁ ତାଙ୍କ ଜନ୍ମତିଥିକୁ ମହାନ୍ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଟଙ୍କର ଜନ୍ମତିଥି ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ପାଳନ କଲାପରି ଗୁରୁପୂର୍ଣ୍ଣିମା ରୂପେ ପାଳନ କରାଯାଏ ।
ପ୍ରାଚୀନ କାଳରେ ଏହି ଆଷାଢ଼ ପୂର୍ଣ୍ଣିମା ଦିନ ଗୁରୁ କୂଳରେ ଶିଷ୍ୟମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଶିକ୍ଷା ଦେବା ନିମନ୍ତେ ଗ୍ରହଣ କରାଯାଉଥିଲା ଏବଂ ଶିକ୍ଷାରେ ଉପଯୁକ୍ତ ଦକ୍ଷତା ହାସଲ ପରେ ଏହିଦିନ ଗୁରୁଦକ୍ଷିଣା ଦାନପୂର୍ବକ ଶିଷ୍ୟମାନଙ୍କୁ ବିଦାୟଦେବାକୁ ହେଉଥିଲା । ଏହି ଦକ୍ଷିଣା ଶିଷ୍ୟମାନଙ୍କର ଏକ ସମର୍ପଣର ଭାବ । ଏହି କାରଣରୁ ଆଷାଢ଼ ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା କହିବାରେ ମଧ୍ୟ ଯଥାର୍ଥତା ଅଛି ।
ଗୁରୁପୂର୍ଣ୍ଣିମା ପାଳନ ଯଦିଓ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ଉ୍ଦ୍ଧ୍ୱର୍ରେ ତଥାପି ଏହାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକସଂଘ ଏକ ପବିତ୍ର ଦିବସରୂପେ ପାଳନ କରେ ।ଏହି ଦିନ ସେମାନେ ଏକ ଗୈରିକ ଧ୍ୱଜାକୁ ଗୁରୁରୂପେ ଉତ୍ତୋଳନ କରିଥାନ୍ତି ଏବଂ ତାକୁ ଅଭିନନ୍ଦନ ଜଣାଇଥାନ୍ତି । ଏହି ଦିନ ଗୁରୁମାନଙ୍କ ପ୍ରତି ଶିଷ୍ୟ ତଥା ଅଭିଭାବକମାନଙ୍କର ଏକ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ରଖିଥାଆନ୍ତି । ତେବେ ଏପରି ଏକ ସଂଘୀୟ କାର୍ଯ୍ୟକ୍ରମକୁ ବାଦ୍ଦେଲେ ଆମ ଭାରତୀୟ ମାନଙ୍କ ପାଇଁ ଗୁରୁକୂଳ ତଥା ଗୁରୁ-ଶିଷ୍ୟର ସମ୍ପର୍କ ନେଇ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ହେବା ଉଚିତ୍ । ଏହାଦ୍ୱାର ଆମ ସଂସ୍କୃତି, ଐତିହ୍ୟ ତଥା ଏକ ସୁପରମ୍ପରାର ସୁରକ୍ଷା ହେବ । ଏହା ହିଁ ଗୁରୁପୂର୍ଣ୍ଣିମାର ତାତ୍ପର୍ଯ୍ୟ ।

ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ