ବଡ଼ଦାଣ୍ଡରେ ବଢୁଛି ଆମିଷ କାରବାର
ପୁରୀ, (ୱାଇଏନ୍ଏସ୍): ତୀର୍ଥକ୍ଷେତ୍ର ଓ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର । ପ୍ରତିବର୍ଷ ଦୁଇ କୋଟିରୁ ଅଧିକ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସମୁଦ୍ରକୂଳେ ମଜା ଉଠାଇଥାନ୍ତି । ଗୋଟିଏ ପଟେ ଅବଢା ବାସ୍ନା ରହିଥିବା ବେଳେ ଅନ୍ୟ ପଟେ ଆମିଷର ପ୍ରାବଲ୍ୟ ଦେଖିବାକୁ ମିଳୁଛି । ସବୁଠାରୁ ପବିତ୍ର ହେଉଛି ବଡ଼ଦାଣ୍ଡ । ଯେଉଁଠି ମହାପ୍ରଭୁ ପହଣ୍ଡି ସମୟରେ ପଦଚିହ୍ନ ପକାଇ ରଥାରୂଢ ହୋଇଥାନ୍ତି । ଅନ୍ୟପଟେ ଶରଧାବାଲିର କ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ନବଦିନ ଯାତ୍ରାରେ ଆଡ଼ପ ମଣ୍ଡପରେ ବିଜେ କରିଥାନ୍ତି । ପବିତ୍ର ଶରଧାବାଲିରେ ନନ୍ଦସୂତ କଳାକହ୍ନେଇ ବାଲିଖେଳୁଥିବା ମନେପକାଇ ଭକ୍ତମାନେ ବାଲିକୁ ମୁଣ୍ଡିଆ ମାରିବା ସହ କାନିରେ ବାନ୍ଧି ଘରକୁ ନେଇଥାନ୍ତି । ସେହି ଶରଧାବାଲିରେ ଆମିଷ କାରବାର ବଢୁଛି । ପବିତ୍ର ବଡ଼ଦାଣ୍ଡ ରଥଦାଣ୍ଡର ଦୁଇ ପାଶ୍ୱର୍ରେ ବାହୁଡ଼ା ଯାତ୍ରା ସରିବା ପରେ ଫାଷ୍ଟପୁଡ଼ ଷ୍ଟଲ ତାଙ୍କ ସ୍ଥାନକୁ ବାହୁଡ଼ିଲେଣି । କ୍ୟାବିନ ପଡ଼ିବା ପରେ କ୍ୟାବିନ ପଛପଟେ ନିଶାଖୋରମାନେ ତଳେ ବସି ମୁକ୍ତ ମଦ୍ୟଶାଳା ପରି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ଏହା ସହ ପବିତ୍ର ବଡ଼ଦାଣ୍ଡରେ ଅଣ୍ଡା ଖୋଳ, ଚିକେନ ଓ ମଟନ ହାଡ଼, ମାଛ କଂଟା ପଡ଼ି ରହୁଛି । ସକାଳୁ ସକାଳୁ ସଫେଇ କର୍ମଚାରୀମାନେ ଏହାକୁ ସଫା କରି ଗାଡ଼ିରେ ଲଦୁଛନ୍ତି । ଅନ୍ୟପକ୍ଷରେ ପର୍ଯ୍ୟଟକମାନେ ଖୁସି ମନେଇବା ପାଇଁ ହୋଟେଲରେ ରହି ମଦ୍ୟପାନ କରୁଛନ୍ତି । ସମୁଦ୍ରକୂଳେ ଏବେ ନୂଆ ୫ଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ଖୋଲାଯିବ ଯୋଜନା ରହିଛି । ପୁରୀ-କୋଣାର୍କ ମେରାଇନ ଡ଼୍ରାଇଭ ରୋଡ଼ରେ ମଧ୍ୟ ମଦ ଦୋକାନ ଖୋଲିବ । ସମୁଦ୍ରକୂଳେ ମଦ ଓ ସ୍ନାକ୍ସ ଷ୍ଟଲକୁ ବିରୋଧ ହେବାରୁ ସାମୁହିକ ସ୍ଥଗିତ ରଖାଯାଇଛି । ସବୁଠାରୁ ଦୁଃଖର ବିଷୟ ବଡ଼ଦାଣ୍ଡରେ ଆମିଷ ବିକ୍ରି ଓ ଦୋକାନ ବନ୍ଦ ହୋଇନାହିଁ । କିଛିବର୍ଷ ତଳେ ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତି ନଗରପାଳ ଥିବା ସମୟରେ ବଡ଼ଦାଣ୍ଡରେ ଆମିଷ ବିକ୍ରିକୁ ବନ୍ଦ କରିଥିଲେ । ବଡ଼ଶଙ୍ଖ ଯେଉଁଠି ଜାତୀୟ ରାଜପଥ ବାଟରେ ହାଟ ବସୁଛି ସେହିଠାରେ ମାଛ ବିକ୍ରି ହେଉଥିଲା । ତାହାକୁ ଉଠାଇ ନେଇ ରେଡ଼କ୍ରସ ରୋଡ଼ ପୋଲିସ ହାଇସ୍କୁଲ ନିକଟରେ ମାଛ ମାର୍କେଟ ଖୋଲା ଯାଇଥିଲା । ବଡ଼ଦାଣ୍ଡରେ ବୈଷ୍ଣବ ଭକ୍ତ, ଚୈତନ୍ୟ ଭକ୍ତ, ମାରୱାଡ଼ି ଭକ୍ତମାନେ ବଡ଼ଦାଣ୍ଡରେ ମୁଣ୍ଡିଆ ମାରି ବାଲି ମୁଣ୍ଡରେ ଲଗାଇ ଶ୍ରୀମନ୍ଦିର ଆଡ଼କୁ ଦର୍ଶନ ପାଇଁ ଯିବା ସମୟରେ ଆମିଷ ବାସ୍ନା ଓ କଂଟାହାଡ଼ ଦେଖି ବିରକ୍ତି ପ୍ରକାଶ କରୁଛନ୍ତି । ଅନ୍ୟ ତୀର୍ଥକ୍ଷେତ୍ର ମାନଙ୍କରେ ଆମିଷ ଗନ୍ଧ ନଥିବା ବେଳେ ପୁରୀରେ ଏହାକୁ ଦେଖି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ପୁରୀକୁ ମଦମୁକ୍ତ ଓ ଆମିଷ ମୁକ୍ତ କରିବା ପାଇଁ କେତେକ ସଂଗଠନ ଅଂଟା ଭିଡ଼ିଥିବା ବେଳେ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ ବୋଲି ଭକ୍ତମାନେ କହୁଛନ୍ତି । ପବିତ୍ର ଧାମ ଶ୍ରୀକ୍ଷେତ୍ରର ଗର୍ବ ଓ ଗୌରବକୁ ବିଶ୍ୱବିଦିତ କରିବା ପାଇଁ ବଡ଼ଦାଣ୍ଡରେ ଆମିଷ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।


