ବଡ଼ଦିନର ଅଜବ ପରମ୍ପରା

ସାରା ବିଶ୍ବରେ ଅବସ୍ଥାନ କରୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ଉତ୍ସବକୁ ଚାତକ ପରି ଚାହିଁରହିଥାଆନ୍ତି। ଏହି ଦିନ ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ। ତେବେ ଏହି ଦିନ କେତେକ ଦେଶରେ ବିଭିନ୍ନ ଅଜବ ପରମ୍ପରା ରହିଛି। ଆସନ୍ତୁ ସେ ସମ୍ପର୍କରେ ଜାଣିବା।
ଖରାପ ସାଣ୍ଟା: ଅଷ୍ଟ୍ରିଆ
ଅଷ୍ଟ୍ରିଆରେ ଏକ୍ସ-ମାସ୍ ଦିନ ସାଣ୍ଟା ପିଲାଙ୍କୁ ଉପହାର ଦିଏ ନାହିଁ । ବରଂ ପିଲାଙ୍କୁ ଡରାଇବା ପାଇଁ ଏକ ଭୟଙ୍କର ଜୀବ ରୂପରେ ଆସିଥାଏ । ଭୟଭୀତ କରୁଥିବା ଏହି ଜୀବ ସହରର ଗଳିକନ୍ଦି ବୁଲି ଛୋଟପିଲାଙ୍କୁ ଡରାଇଥାନ୍ତି ଏବଂ ଖରାପ ପିଲାଙ୍କୁ ଦଣ୍ଡ ଦେଇଥାନ୍ତି । ସେମାନଙ୍କୁ କୁହାଯାଏ ‘କ୍ରାମ୍ପପସ୍’।
ରୋଲର ସ୍କେଟ ମାସ୍: କାରାକାସ୍
ଏକ୍ସ-ମାସ୍ ସକାଳେ ଭେନେକୁ ଏଲାର ରାଜଧାନୀ କାରାକାସରେ ଲୋକମାନେ ରୋଲର ସ୍କେଟ ପିନ୍ଧି ଚର୍ଚ୍ଚ ଯାଇଥାନ୍ତି । ସେହି ଦିନ ସକାଳ ୮ଟାରୁ ଟ୍ରାଫିକ ବନ୍ଦ କରିଦିଆଯାଏ । କାରଣ ଲୋକମାନେ ସହଜରେ ଚର୍ଚ୍ଚ ପହଞ୍ଚିପାରିବେ । ଏହି ପରମ୍ପରା କାରାକାସରେ ପ୍ରତିବର୍ଷ ପାଳନ କରାଯାଏ ।
ଦ ୟୁଲେ କ୍ୟାଟ୍: ଆଇସ୍ ଲ୍ୟାଣ୍ଡ
ଆଇସଲ୍ୟାଣ୍ଡର ଏକ୍ସ-ମାସ୍ ପାଳିବାର ପରମ୍ପରା ବଡ଼ ଅଜବ। ସେହି ଦିନ ଗୋଟିଏ ବିରାଟ ଆକାରର ବିଲେଇ ସହରରେ ବୁଲିଥାଏ । ଯାହାକୁ କୁହାଯାଏ ୟୁଲେ କ୍ୟାଟ । ପରମ୍ପରା ଅନୁଯାୟୀ ଏହି ବିଲେଇ ଭଲ ପିଲା ଓ ପରିଶ୍ରମୀ ଚାଷୀଙ୍କୁ ଚକୋଲେଟ, ନୂଆ ପୋଷାକ ଆଦି ଉପହାର ଦେଇଥାଏ । ହେଲେ ଖରାପ ଲୋକଙ୍କୁ ବିଲେଇ ଡରେଇଥାଏ ।
ଏ କବୱେବ୍ ଖ୍ରୀଷ୍ଟମାସ: ୟୁକ୍ରେନ୍
ୟୁକ୍ରେନରେ ବୁଢ଼ିଆଣୀ ବସାକୁ ଶୁଭ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏକ୍ସ-ମାସ୍ ଦିନ ବୁଢ଼ିଆଣୀ ବସା ଅଧିକ ଦେଖିବାକୁ ମିଳିଥାଏ । ଏମିତି ହେବାର କାରଣ ସେହିଦିନ ଲୋକେ ଏକ୍ସ-ମାସ୍ ଟ୍ରିରେ ବେଲ, ଷ୍ଟାର, ବବଲ ଆଦିରେ ସଜାଇ ନଥାନ୍ତି । ବରଂ ବୁଢ଼ିଆଣୀ ବସାରେ ସଜାଇଥାନ୍ତି କି୍ରସମାସ୍ ଟି୍ର ।
ପିକଲ ଇନ ଦ ଟ୍ରି : ଜର୍ମାନୀ
ଜର୍ମାନୀରେ ବଡ଼ଦିନ ପାଳିବାର ଏହି ଅଜବ ପରମ୍ପରା ବହୁ ବର୍ଷରୁ ଚାଲିଆସିଛି । ଏହି ଦିନ ଲୋକମାନେ ମଜାଳିଆ ପୋଷାକ ପିନ୍ଧିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଖ୍ରୀଷ୍ଟମାସ ଟ୍ରିରେ ଆଚାର ପ୍ୟାକେଟ ଲୁଚାଇ ରଖିଥାଏ । ଘରର ସଦସ୍ୟମାନେ ଏହାକୁ ଖୋଜିଥାନ୍ତି । ଆଚାର ପ୍ୟାକେଟ ଯାହାକୁ ମିଳିବ ତାଙ୍କୁ ଉପହାର ମିଳିଥାଏ ।
କୋଲୋନେଲ ସାନ୍ତା: ଜାପାନ
ଜାପାନରେ ଖ୍ରୀଷ୍ଟମାସ ପାଳିବା ସାଧାରଣ ପରି ହୋଇଥାଏ । ଯେମିତି ପରସ୍ପରକୁ ଉପହାର ଦେବା କ୍ୟାଣ୍ଡେଲ ଜାଳିବା ଆଦି । ହେଲେ ଏବେ ଜାପାନରେ ବଡ଼ଦିନ ପାଳିବାକୁ ଭିନ୍ନ ଏକ ପ୍ରକାର ପ୍ରଥା ପ୍ରଚଳିତ ହୋଇଛି । ଜାପାନରେ ଏହି ଦିନକୁ ବିଚିତ୍ର ଭାବେ ପାଳୁଛନ୍ତି ଲୋକେ । ଏହି ଦିନ ସବୁ ଲୋକ କେଣ୍ଟୁକି ଫ୍ରାଏଡ ଚିକେନ (କେଏଫସି) ଚିକେନ୍ ନିଶ୍ଚୟ ଖାଇଥାନ୍ତି ।
ଫୋଟୁକୱା କି୍ରସ୍ମାସ୍ ଟି୍ର: ନ୍ୟୁଜଲ୍ୟାଣ୍ଡ
ସବୁଆଡେ ଏକ୍ସ-ମାସ୍ ଟ୍ରିକୁ ସ୍ୱତନ୍ତ୍ର ଭାବେ ସଜାଯାଇଥାଏ । ଷ୍ଟାର, ବେଲ, ରଙ୍ଗୀନ ଆଲୋକ ରହିଥାଏ ଏକ୍ସ-ମାସ୍ ଟ୍ରିରେ । ହେଲେ ନ୍ୟୁଜଲ୍ୟାଣ୍ଡରେ ଏକ୍ସ-ମାସ୍ ଟ୍ରି କହିଲେ ଫୋଟୁକୱାର ଫୁଲକୁ ବୁଝାଏ । ଏହାର ଗାଢ଼ କମଳା ରଙ୍ଗ ଫୁଲକୁ ଏକ୍ସ-ମାସର ପ୍ରତୀକ ବୋଲି ନ୍ୟୁଜିଲାଣ୍ଡବାସୀ ବିଶ୍ୱାସ କରିଥାନ୍ତି । ଖ୍ରୀଷ୍ଟମାସ ଦିନ ସହରର ଚର୍ଚ୍ଚ ଏବଂ ଘର ଗୁଡ଼ିକରେ ଫୋଟୁକୱା ଗଛର ଡାଳ, ପତ୍ର ଏବଂ ଫୁଲରେ ସଜାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ