ବଡ଼ ଆତଙ୍କୀ ହମ୍ଲା ଯୋଜନା ପଣ୍ଡ କଲା ପଞ୍ଜାବ ପୁଲିସ୍
ନୂଆଦିଲ୍ଲୀ: ରବିବାର ଏକ ବଡ଼ ଆତଙ୍କବାଦୀ ହମ୍ଲା ଉଦ୍ୟମକୁ ପଣ୍ଡ କରିଛି ପଞ୍ଜାବ ପୁଲିସ୍ । ପାକିସ୍ତାନ ଏବଂ ଜର୍ମାନୀରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନର ସମର୍ଥନରେ ମୁଣ୍ଡ ଟେକିଥିବା ଖଲିସ୍ତାନ ଜିନ୍ଦାବାଦ୍ ଫୋର୍ସ ପଞ୍ଜାବରେ ସିରିଜ୍ ଆକ୍ରମଣ ପାଇଁ ଯୋଜନା ଚଲାଇଥିଲା । ପୁଲିସ୍ ଅଧିକାରୀମାନେ ଏହି ଆତଙ୍କବାଦୀଙ୍କଠାରୁ ଏକେ-୪୭ ରାଇଫଲ୍, ପିସ୍ତଲ, ସ୍ୟାଟେଲାଇଟ୍ ଫାନ୍ ଏବଂ ହ୍ୟାଣ୍ଡ ଗ୍ରେନେଡ୍ ଆଦି ଜବତ କରିଥିଲେ ।
ଏହି ମାମଲାର ଗମ୍ଭୀରତା ବୁଝିପାରି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ମାମଲା ଏନ୍ଆଇଏକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡ୍ରୋନ୍ ବ୍ୟବହାର କରି ଅସ୍ତ୍ର ଏବଂ ସ୍ୟାଟେଲାଇଟ୍ ଫୋନ୍ ନବା ଆଣିବା କରାଯାଇଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି, ଆଗକୁ କୌଣସି ବିପଦ ଅଛି କି ନା ନିଶ୍ଚିତ କରିବା ପାଇଁ ବାୟୁ ସେନା ଏବଂ ବିଏସ୍ଏଫ୍ ମଧ୍ୟ ପଦକ୍ଷେପ ନିଅନ୍ତୁ ।
ଡିଜିପି ଡିଙ୍କର ଗୁପ୍ତା କହିଛନ୍ତି, ଏହି ଅସ୍ତ୍ର ସବୁ ଭାରତ-ପାକିସ୍ତାନ ସୀମା ଦେଇ ଆସିଥାଇପାରେ । ପାକିସ୍ତାନର ଆଇଏସ୍ଆଇ, ପ୍ରାୟୋଜିତ ଜିହାଦୀ ଏବଂ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଏପରି କରାଇଥାପାରନ୍ତି । ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ନିକଟ ଭବିଷ୍ୟତରେ କଶ୍ମୀରରେ ଯେଉଁ ପଦକ୍ଷେପ ନିଆଯାଇଛି, ସେହି କାରଣରୁ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବ ସହ ବିଭିନ୍ନ ସ୍ଥାନରେ ଅନୁପ୍ରବେଶ ବଢ଼ିଛି ।
ଡିଜିପି ଗୁପ୍ତା କହିଛନ୍ତି, ପାକିସ୍ତାନରେ ରହୁଥିବା ରଣଜିତ ସିଂହ ଓରଫ ନୀତା ଏବଂ ତା’ର ଜର୍ମାନୀ ସହଯୋଗୀ ଗୁରମୀତ ସିଂହ ଓରଫ ବାଗା ଏହି ଷଡ଼ଯନ୍ତ୍ର ରଚିଥିଲେ । ସେମାନେ ସ୍ଲିପର ସେଲ୍ଙ୍କ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ପ୍ରବର୍ତ୍ତାଇ ଏହି କାମରେ ଲଗାଇବାର ଥିଲା । ସେମାନଙ୍କ ପାଇଁ ଟଙ୍କା ଯୋଗା । ସହ ଅସ୍ତ୍ର ପଠାଯିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆଜି ବଲୱନ୍ତ ସିଂହ ଓରଫ ବାବା, ନିହାଙ୍ଗ, ଆକାଶଦୀପ ସିଂହ ଓରଣ ଆକାଶଦୀପ ରାନ୍ଧୱାଙ୍କୁ ଗିରଫ କରାଯାଇଛି । ଉଭୟ ଆକାଶଦୀପ ଏବଂ ବାବା ନାମରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି । ଅମୃତସର ଜେଲରେ ଥିବା ସମୟରେ ଗୁରୁପ୍ରୀତ ସିଂହର ସହଯୋଗୀ ମାନ୍ ସିଂହ ଆକାଶଦୀପକୁ ଏହି ଆତଙ୍କବାଦୀ ସଂଗଠନରେ ସାମିଲ କରିଥିଲା ।