ବଡ଼ ଠାକୁରଙ୍କ ପ୍ରଳମ୍ବାସୁର ବଧ ବେଶ
ପୁରୀ, ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାସ୍ତି ପରେ ଏହି ବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ବେଶ ସଂନ୍ଧ୍ୟାଧୂପ ପର୍ଯ୍ୟନ୍ତ ରହିଥିଲା । ପରେ ବେଶ ଓଲାଗି ହୋଇ ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ ।
ପ୍ରଳମ୍ବାସୁର ବଧ ବେଶରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ମା ସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି । କେବଳ ଶ୍ରୀବଳଭଦ୍ରଙ୍କୁ ପ୍ରଳମ୍ବାରି ବେଶରେ ଭୂଷିତ କରାଯାଇଥାଏ । ବଡ଼ଠାକୁରଙ୍କ ଦୁଇ ହସ୍ତରେ ହଳ, ମୂଷଳ ଶୋଭାପାଇଥାଏ । ପ୍ରାୟ ୪ ଫୁଟ ଉଚ୍ଚର ଏକ ବିରାଟକାୟ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତି ରତ୍ନସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜାଯାଇଥାଏ । ଏହି ଅସୁରର ସ୍କନ୍ଧରେ ଓ ଦୁଇ ଭୁଜରେ ବଡ଼ଠାକୁର ବସିଥିବା ସ୍ପଷ୍ଟ ଜଣାଯାଇଥାଏ । ବେତ, ଧଳା ଓ ନେଳି କନା, କଇଁଥ ଅଠାରେ ଏହି ମୂର୍ତି ନିର୍ମାଣ କରାଯାଇଥାଏ । ଏହା ଶ୍ରୀମନ୍ଦିରର ପାରମ୍ପରିକ ଚିତ୍ରକାର ଓ ସୋଲ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ।
ପ୍ରଳମ୍ବାସୁର ଆଖ୍ୟାୟିକା:- ପ୍ରଳମ୍ବାସୁର ଆଖ୍ୟାୟିକା ସମ୍ପର୍କରେ ଶ୍ରୀମଦଭାଗବତର ଦଶମ ସ୍କନ୍ଧ୍ରରେ ବିସ୍ତୃତ ବର୍ଣ୍ଣନା ରହିଅଛି । ଉକ୍ତ ବର୍ଣ୍ଣନା ଅନୁଯାୟୀ, ଯମୁନା ନଦୀ କୂଳରେ ଥିବା ପବିତ୍ର ବୃନ୍ଦାବନ ଭୂମି ଶ୍ରୀବଳଭଦ୍ର ଓ ଶ୍ରୀକୃଷ୍ଣଙ୍କର ଗୋପାଳ ବାଳକ, ଗାଈ ଓ ଗୋବତ୍ସାଙ୍କ ସହିତ ଏକତ୍ର କ୍ରୀଡ଼ା ଭୂମି । ସେହି କ୍ରୀଡ଼ା କାଳରେ ଏକ ଯୁଦ୍ଧକାଳୀନ ଅଭିନୟ ସେମାନଙ୍କର କ୍ରୀଡାର ବିଷୟବସ୍ତୁ ହୋଇଥିଲା । ଗୋପ ବାଳକଙ୍କ ସମେତ ଶ୍ରୀକୃଷ୍ଣ ଓ ବଳରାମଙ୍କର କ୍ରୀଡା ଦେଖି କଂସର ନିର୍ଦ୍ଦଶେ ମତେ ସେମାନଙ୍କୁ ମାରିବ ବୋଲି ମନେ ମନେ ଭାବି ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ସେମାନଙ୍କ ସହିତ ଆସି ମିଶିଲା । ଏକଥା କିନ୍ତୁ କୃଷ୍ଣଙ୍କୁ ଅଜଣା ଥିଲା । ସେ ଗୋପାଳ ବାଳକମାନଙ୍କୁ ପ୍ରସ୍ତାବ ଦେଲେ ଯେ ରାଜା ପରଜା ନାମକ ଏକ ଖେଳ ଅଛି, ବର୍ତମାନ ଆମେମାନେ ସେହି ଖେଳ ଖେଳିବା । ଏକଥା ଶୁଣି ଗୋପାଳ ବାଳକମାନେ ଆନନ୍ଦ ମନରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାଜା କରି ଅନ୍ୟ ସମସ୍ତ ଗୋପାଳ ପ୍ରଜା ହେଲେ । ଏହି ଖେଳରେ ବଳ କଷାକଷିର କାର୍ଯ୍ୟ ରହିଲା । ଯେ ଯୁଦ୍ଧରେ ହାରିବ, ସେ ବିଜେତାକୁ କାନ୍ଧ୍ରରେ ବସାଇ ଭାଣ୍ଡୀର ନାମକ ବଟବୃକ୍ଷ ତଳକୁ ବୋହିନେବ । ତତ୍ପରେ ଛଦ୍ମବେଶୀ ପ୍ରଳମ୍ବାସୁର ସହିତ ବଳରାମଙ୍କର ଯୁଦ୍ଧ ହେଲା । ପ୍ରଳମ୍ବ ଜାଣି ଜାଣି ହାରି, ବଳରାମଙ୍କୁ ସ୍କନ୍ଧ୍ରରେ ବହନ କରି ନିର୍ଦ୍ଦିଷ୍ଟ ସ୍ଥଳକୁ ଯିବା ପରିବର୍ତେ ଦ୍ରୁତ ଗତିରେ ଆକାଶ ମାର୍ଗରେ ଗତିକଲା ବେଳେ ବଳରାମ କଳାମେଘରେ ବିଜୁଳି ସମ ଶୋଭା ପାଇଲେ । ପ୍ରଭୁ ବଳରାମ ମାୟାବୀ ଅସୁରକୁ ଚିହ୍ନି ତାହାର ମୁଣ୍ଡ ଉପରେ ବଜ୍ର ସମ ଏକ ମୁଷ୍ଟି ପ୍ରହାର କଲେ । ତାହାର ମୁଣ୍ଡ ଶତ ଖଣ୍ଡ ହେଲା ଓ ଗୋବର୍ଦ୍ଧନ ନିକଟରେ ତାହାର ମୃତ୍ୟୁ ଘଟିଲା । ସେହି ଘଟଣାର ସ୍ମାରକୀକୁ ମନେ ପକାଇ ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଆସୁଅଛି । ଏହି ବେଶରେ ବଡଠାକୁର ହଳାୟୁଧ ସଂକର୍ଷଣ ମହାପ୍ରଭୁ ସର୍ବଭକ୍ତ ଗଣଙ୍କ ଦୃଷ୍ଟି ନିଜ ଆଡକୁ ଆକର୍ଷିତ କରିନେଇଥାଆନ୍ତି, ନିଜର ଅପୂର୍ବ ଦିବ୍ୟ ଶୋଭା ମାଧ୍ୟମରେ ।


