ବଢ଼ୁଛି ଜନ ଅସନ୍ତୋଷ; ଆଉ କେତେ ଦିନ ଚାଲିବ ରାଣୀପାଟଣା ରାସ୍ତା ନବୀକରଣ?

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରାଞ୍ଚଳର ପ୍ରମୁଖ ରାସ୍ତାଗୁଡ଼ିକ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପରେ ମଧ୍ୟ ସହର ତଥା ସହରକୁ ସଂଯୋଗ କରୁଥିବା ଉପକଣ୍ଠ ଅଞ୍ଚଳର ଅନେକ ରାସ୍ତା ଅବହେଳିତ ଅବସ୍ଥାରେ କରହିଛି । ଦୀର୍ଘଦିନ ଧରି ମରାମତି ଓ ନବୀକରଣ ନହେବା ଫଳରେ ବିଭିନ୍ନ ଅଞ୍ଚଳର ରାସ୍ତା କ୍ରମଶଃ ଶୋଚନୀୟ ହୋଇ ପଡ଼ିଥିବା ଳକ୍ଷ୍ୟ କରାଯାଇଛି । ବିଶେଷ କରି ଆଇଟିଆଇ ଛକରୁ ଅଙ୍ଗାରଗଡିଆ ରାସ୍ତା, ମଠସାହି ତାରିଣୀ ଛକରୁ ମେଣ୍ଢାଶୋକ ଦେଇ ଯୁଧିଷ୍ଟିରପୁର ପର୍ଯ୍ୟନ୍ତ ରାସ୍ତା, ନେଳିଆବାର ରାସ୍ତା, ନୂଆବଜାର ମଧ୍ୟଦେଇ ଅରଡ଼ବଜାରକୁ ଯାଇଥିବା ରାସ୍ତା ଅତ୍ୟନ୍ତ ଖରାନ ହୋଇପଡ଼ିଥିଲେ ବି ଏଥି ପ୍ରତି କାହାର ନଜର ନାହିଁ । ରାସ୍ତା ନିର୍ମାଣ ଓ ମରାମତି ରାସ୍ତା ଗୁଡିକ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ମରାମତି ଅଭାବରୁ ରାସ୍ତାରେ ପିଚୁ ଉଠି ବଡ଼ ବଡ଼ ଖାଲ ସୃଷ୍ଟି ହେବା ଫଳରେ ଗାଡ଼ି ମୋଟର ଯିବା ତ ଦୂରର କଥା ବରଂ ଚାଲିଚାଲି ଯିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇଛି । ତେବେ ସବୁଠାରୁ ଶୋଚନୀୟ ଅବସ୍ଥା ଦେଖାଯାଇଛି ସହରର ରାଣୀପାଟଣା ରାସ୍ତାରେ । ଦୀର୍ଘ ଦୁଇବର୍ଷ ଧରି ଚାଲିଥିବା ଅଧପନ୍ତରିଆ ନବୀକରଣ କାର୍ଯ୍ୟ ଯୋଗୁଁ ଏହି ରାସ୍ତାରେ ଯାତାୟାତ କରିବାରେ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ପଡ଼ି ରହିବା, ରାସ୍ତାର ଦୁଇପାଶ୍ୱର୍ରେ ନାଳ କାମ ଅଧପନ୍ତରିଆ ହୋଇ ରହିବା ଫଳରେ ରାସ୍ତା ସମ୍ପୂର୍ଣ୍ଣ ସଙ୍କୁଚିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଗୋଟିଏ ଅଟୋରିକ୍ସା ଏହି ରାସ୍ତାରେ ଯିବା ବେଳେ ଦୁଇଚକିଆ ଯାନରେ ଯାଉଥିବା ଲୋକଙ୍କୁ ଏଠାରେ ଅଟକିବାକୁ ପଡ଼ୁଛି । ଉଚ୍ଚାନିଚ୍ଚା ରାସ୍ତାରେ ଯିବା ବେଳେ ଲୋକେ ବିରକ୍ତି ଭାବ ପ୍ରକାଶ କରୁଥିଲେ ବି ନିଜ ଭାଗ୍ୟକୁ ଆଦରି ଚୁପ ରହିବାକୁ ବାଧ୍ୟ ହେଉଛନ୍ତି । ଏନେଇ ସ୍ଥାନୀୟ ଲୋକେ ପ୍ରଶାସନଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ଓ ଲୋକପ୍ରତିନିଧିଙ୍କ ନିକଟରେ ଫେରାଦ ହେଉଥିଲେ ବି ଯଥାପୂର୍ବଂ ତଥା ପର ସ୍ଥିତି ପରିଲକ୍ଷିତ ହେଉଛି । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ, ଭିତ୍ତିଭୂମି ନଥିବା ଠିକାଦାରଙ୍କୁ କାର୍ଯ୍ୟ ପ୍ରଦାନ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀମାନେ ଆରୋପ କରିଛନ୍ତି । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯଥାଶୀଘ୍ର ଏହି ରାସ୍ତାର ମରାମତି କାର୍ଯ୍ୟ ଶେଷ ନ ହେଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ