ବୟନ ଶିଳ୍ପର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି : ସ୍ମୃତି ଇରାନୀ
ଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ବୟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ଏହାର ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି ବୋଲି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ କହିଛନ୍ତି । ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ, ବୟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ ଏହାର ପ୍ରତିଯୋଗିତାମୂଳକ ଉତ୍ପାଦନ, ରପ୍ତାନୀ, ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଏହା ମଧ୍ୟରେ ବୈଷୟିକ ଜ୍ଞାନ ଉନ୍ନତିକରଣ ପାଣ୍ଠି ଯୋଜନା (ଏ-ଟିୟୁଏଫଏସ), କଳତନ୍ତ୍ର ବିକାଶ, ବୈଷୟିକ ବୟନ ଯୋଜନା, ସମନ୍ୱିତ ବୟନ ଉଦ୍ୟାନ ଯୋଜନା (ଏସଆଇଟିପି), ପୋଷାକ ପ୍ରସ୍ତୁତକାରୀ ୟୁନିଟଗୁଡିକୁ ଅତିରିକ୍ତ ଅନୁଦାନ ପ୍ରଦାନ, ବୟନ କ୍ଷେତ୍ରରେ ଆଗୁଆ ସାମର୍ଥ୍ୟ ବୃଦ୍ଧି ଯୋଜନା, ଜାତୀୟ କଳତନ୍ତ୍ର ବିକାଶ କାର୍ଯ୍ୟକ୍ରମ, ବିସ୍ତୃତ ହସ୍ତତନ୍ତ ପୁଞ୍ଜିବିକାଶ ଯୋଜନା, ସିଲ୍କ ସମଗ୍ର ଯୋଜନା, ବ୍ୟାପକ ହସ୍ତତନ୍ତ ପୁଞ୍ଜି ବିକାଶ ଯୋଜନା, ସମନ୍ୱିତ ପଶମ ଉନ୍ନୟନ କାର୍ଯ୍ୟକ୍ରମ, ଉତର-ପୂର୍ବାଂଚଳ ବୟନ ପ୍ରୋତ୍ସାହନ ଯୋଜନା, କେନ୍ଦ୍ର ଓ ରାଜ୍ୟ ଟିକସ ଓ ଲେଭିରେ ରିହାତି ଇତ୍ୟାଦି ଅନ୍ତର୍ଭୂକ୍ତ । ଏହାଛଡ଼ା ସରକାର ବୟନ ଶିଳ୍ପ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୬,୦୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଓଡିଶା ସମେତ ସମଗ୍ର ଦେଶରେ ଏହି ଯୋଜନାଗୁଡିକ ବୟନ ଶିଳ୍ପର ବିକାଶ ଦିଗରେ ସହାୟକ ହେବା ରାଜ୍ୟୱାରୀ ବଜେଟ ଆବଂଟନ କରାଯାଇନଥିଲେ ମଧ୍ୟ ଯୋଜନାୱାରୀ ଦେଶବ୍ୟାପୀ ଅନୁଦାନ ଆବଂଟନ କରାଯାଇଛି ।