ଭଉଣୀକୁ ବିକ୍ରି କଲା ଭାଇ
ବିହାର(ୱାଇଏନ୍ଏସ୍ ): ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା ସହ ଜଡିତ ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଭିଡିଓରେ ମହିଳା ଜଣକ ନିଜକୁ ଦୁଇ ଜଣଙ୍କ ନିକଟରେ ଭାଇ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି। ଯେତେବେଳେ ନାଥନଗରରେ ତାଙ୍କ ଭାଇ ତାଙ୍କୁ ଭେଟିବାକୁ ଆସି ନ ଥିଲେ ସେତେବେଳେ ମହିଳାଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରି ମହିଳାଙ୍କୁ ପଚରାଉଚରା କରିଥିଲା। ତେବେ ପୋଲିସ କିଣାବିକା କଥାକୁ ମନା କରଛି।
ସୂଚନା ଅନୁଯାୟୀ, ସିଟି ଏଏସ୍ପି ପୂରଣ ଝା ମହିଳାଙ୍କୁ ପଚରାଉଚରା କରିଥିଲେ। ମହିଳା ଜଣକ ଘରକୁ ଯିବାକୁ କହିଥିଲେ ଏବଂ ଲିଖିତ ମାମଲା କରିବାକୁ ମନା କରିଦେଇଥିଲେ। ଇନ୍ସପେକ୍ଟର ସାଜାଦ ହୁସେନ କହିଛନ୍ତି ଯେ, ମହିଳା ଜଣକ ବିବାହିତ। ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ପ୍ରଥମ ସ୍ବାମୀ ତାଙ୍କୁ ଛାଡ଼ି ଦେଇଛନ୍ତି। ଏହି ଘଟଣା ଦ୍ୱିତୀୟ ବିବାହ ସହିତ ଜଡ଼ିତ। ମହିଳାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ତେବେ ନାଥନଗର ପୋଲିସ ମହିଳାଙ୍କ ମା ଏବଂ ମାମୁଙ୍କୁ ଘୋଗା ପଠାଇ ମାମଲାର ତଦନ୍ତ କରୁଛି।


