ଭଏସ୍ ଏଗେନଷ୍ଟ ହେଟ୍ ଓ ଅକ୍ଷର ପକ୍ଷରୁ ଗାନ୍ଧିଙ୍କ ତିରୋଧନ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ‘ଭଏସ୍ ଏଗେନଷ୍ଟ ହେଟ୍’ ଓ ‘ଅକ୍ଷର’ ପକ୍ଷରୁ ଗୁରୁବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଭଏସ୍ ଏଗେନଷ୍ଟ ହେଟ୍ର ଆବାହକ ଶ୍ରୀ ମାନସ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜେଏନ୍ୟୁର ପ୍ରଫେସର ଶ୍ରୀ ଆଦିତ୍ୟ ମୁଖାର୍ଜୀ ‘ଗାନ୍ଧି-ନେହେରୁ ବିଚାର ଓ ଆଜିର ଆହ୍ୱାନ’ ପ୍ରସଙ୍ଗରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଶ୍ରୀ ମୁଖାର୍ଜୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଙ୍କ ସଂଘର୍ଷ, ସଂଗ୍ରାମ ଓ ଅବଦାନ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଗାନ୍ଧିଙ୍କ ହତ୍ୟା ପଛରେ ଚକ୍ରନ୍ତକାରୀ ସବରକର ଥିଲେ । ଗାନ୍ଧିଙ୍କ ହତ୍ୟା ଦିନ ଆରଏସ୍ଏସ୍ ଓ ହିନ୍ଦୁ ମହାସଭା ପକ୍ଷରୁ ମିଠା ବଣ୍ଟା ଯାଇଥିଲା ଏବଂ ଆଜି ବି ଗାନ୍ଧିଙ୍କର ତିରୋଧାନ ଦିବସରେ ଏହି ସଂଗଠନ ମିଠା ବାଣ୍ଟୁଛି । ସେମାନେ ଭାବିଥିଲେ ଗାନ୍ଧିଙ୍କ ମୃତ୍ୟୁରେ ଗାନ୍ଧିବାଦ ଲୋପ ପାଇବ, କିନ୍ତୁ ଗାନ୍ଧିବାଦ ଭାରତ ଏବଂ ବିଶ୍ୱକୁ ଆଲୋକିତ କରି ଚାଲିଛି । ସେହିପରି ନେହେରୁଙ୍କ ତ୍ୟାଗ, ମହାନତା, ବିଚକ୍ଷଣତା ଓ ଶାସନଗତ ଦକ୍ଷତାକୁ କ୍ଷୁର୍ଣ୍ଣ କରିବା ପାଇଁ ଗୈରୀକ ସଂଗଠନମାନେ ଅପପ୍ରଚାର ଚଳାଇଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ୯୭-ବ୍ଲଣ୍ଡର୍ସ ଅଫ ନେହେରୁ ପରି ଅନେକ ପୁସ୍ତକ ଲେଖାଯାଇ ନେହେରୁଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଉଛି । ଏପରକି ରାଜସ୍ଥାନ ଏବଂ ଅନ୍ୟାନ୍ୟ ବିଜେପି ଶାସିତ ରାଜ୍ୟର ପାଠ୍ୟକ୍ରମରେ ଦେଶର ସ୍ୱାଧୀନତା ସଂଗ୍ରାମରେ ୩୦ ବର୍ଷ ସମୟ ଦାନ କରିଥିବା, ୯ ବର୍ଷ ଜେଲ୍ ଭୋଗିଥିବା ଓ ୧୭ ବର୍ଷ ପ୍ରଧାନମନ୍ତ୍ରୀ ଥିବା ପଣ୍ଡିତ ନେହେରୁଙ୍କ ବିଷୟକୁ ବାଦ୍ କରାଯାଉଛି । ଏବେ ପାଠ୍ୟକ୍ରମରେ ଦେଶର ସ୍ୱାଧୀନତା ସଂଗ୍ରାମରେ ଆଦୌ ଅଂଶଗ୍ରହଣ କରିନଥିବା ଗୈରୀକ ନେତା ଏବଂ ବିଶେଷକରି ବ୍ରିଟିଶ ପାଖରେ ମଥାନତ କରିଥିବା ସବରକରଙ୍କୁ ବିଶେଷ ସ୍ଥାନିତ ହେଉଛି ।ଗାନ୍ଧି-ସୁଭାଷ ବିବାଦ, ନେହେରୁ-ସୁଭାଷ ବିବାଦ ଆଦି ମିଥ୍ୟା କାହାଣି ରଚନା କରାଯାଉଛି । ସୁଭାଷ ବୋଷ ନିଜର ଆଜାଦ୍ ହିନ୍ଦ୍ ଫୌଜରେ ଗାନ୍ଧି ରେଜିମେଣ୍ଟ, ନେହେରୁ ରେଜିମେଣ୍ଟ ଓ ମୌଲାନା ରେଜିମେଣ୍ଟ ଗଠନ କରିଥିଲେ । ଶ୍ରୀ ମୁଖାର୍ଜୀ କହିଥିଲେ, କେବଳ ଏହି ଗୈରୀକ ସଂଗଠନର ଚକ୍ରାନ୍ତ ପାଇଁ ପାକିସ୍ତାନ ସୃଷ୍ଟି ହୋଇଛି । ଗାନ୍ଧି, ନେହେରୁ, ସୁଭାଷ, ପଟେଲ ଏବଂ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ୍ ଅବଦାନକୁ ଏହି ଗୈରୀକ ଦଳ ଗ୍ରହଣ କରୁନାହିଁ । ଆରଏସ୍ଏସ୍ର ମୁଖ୍ୟ ଆଜି କହୁଛନ୍ତି ଯେ, ୨୦୧୪ ମସିହାରେ ଭାରତ ସ୍ୱାଧୀନତା ହାସଲ କରିଥିଲା ଏବଂ ସେମାନେ କହୁଛନ୍ତି ଯେ, ୧୯୪୭ରେ ଯେଉଁ ସ୍ୱାଧୀନତା ମିଳିଥିଲା, ତାହା ଭିକ୍ଷାରେ । ଅର୍ଥାତ୍ ଗାନ୍ଧି, ନେହେରୁ, ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନେ ଭିକାରି ଥିଲେ ଏବଂ ଏପରିକି ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ଯେଉଁ ୧୦ ଜହାର ସ୍ୱାଧୀନତା ସଂଗ୍ରାମୀ ପ୍ରାଣତ୍ୟାଗ କରିଥିଲେ, ସେମାନେ ମଧ୍ୟ ଭିକାରି ଥିଲେ । ସେମାନେ ନିଜକୁ ଜାତୀୟତାବାଦୀ ବୋଲି ପରିଚୟ ଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବା ସେମାନଙ୍କ ଦାୟାଦମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି । ନେହେରୁଙ୍କ ଶାସନରେ ସବୁବେଳେ ସ୍ୱଚ୍ଛତା ରହିଥିଲା । ଚାଇନା ଯୁଦ୍ଧ ସମ୍ପର୍କରେ ସଂସଦରେ ଆଲୋଚନା ହେଉଥିବା ବେଳେ ଆଜି ମୋଦି ଯୁଗରେ ଆଦାନୀ ସମ୍ପର୍କରେ ସଂସଦରେ ହୋଇପାରୁ ନାହିଁ । ୧୯୪୭ ମସିହା ପରେ ମହାତ୍ମା ଗାନ୍ଧି ଏବଂ ତା ପରେ ପରେ ପଟେଲଙ୍କର ହଠାତ୍ ମୃତ୍ୟୁ ପରେ ଦେଶର ଭାର କେବଳ ନେହେରୁଙ୍କ ଉପରେ ପଡ଼ିଥିଲା । ଭାରତର ଆର୍ଥିକ ଦୂରାବସ୍ଥା, ଉତ୍କଟ ଦାରିଦ୍ର୍ୟ ଏବଂ ନାହିଁ ନଥିବା ପରିସ୍ଥିତିକୁ ସମ୍ମୁଖୀନ କରି ୧୭ ବର୍ଷର ଶାସନ କାଳରେ ନେହେରୁ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପ୍ରତିଷ୍ଠା କରିପାରିଥିଲେ । ନେହେରୁ ସେତେବେଳେ କହିଥିଲେ, ଆମେ ସ୍ୱାଧୀନତା ପାଇଲୁ, କିନ୍ତୁ ଆର୍ଥିକ ସ୍ୱାଧୀନତା ପାଇଁ ଆମକୁ ସଂଗ୍ରାମ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ, ଜଳସେଚନ, ଶିକ୍ଷା ଓ ଗମନାଗମନ ପ୍ରଭୃତି କ୍ଷେତ୍ରରେ ନେହେରୁଙ୍କର ଅବଦାନ ଅତୁଳନୀୟ । ଏମ୍ସ, ଆଇଆଇଟି, ଆଇଆଇଏମ୍, ନାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବିଏଆରସି, ଇସ୍ରୋ, ଡିଆରଡିଓ ଠାରୁ ଆରମ୍ଭ କରି ବହୁ ଶିଳ୍ପ, ନଦୀବନ୍ଧ ଯୋଜନା ପ୍ରଭୃତି ଅଗଣିତ ବ୍ୟବସ୍ଥା ଓ ଯୋଜନା ନେହେରୁ ଭାରତବାସୀଙ୍କ ପାଇଁ କରିଯାଇଛନ୍ତି । କିନ୍ତୁ ଗୈରୀକ ଦଳ ଭାଷାରେ ନେହେରୁ ଦେଶ ପାଇଁ କିଛି କରିନାହାଁନ୍ତି । ନେହେରୁ ଭାରତକୁ ଯେଉଁଭଳି ଭାବରେ ବିକାଶ ଦେଇପାରିଥିଲେ, ଆଜି ତାହା ହୋଇପାରୁ ନାହିଁ । ଏବେ ବି ବିଶ୍ୱ କ୍ଷୁଧା ସୂଚାକଙ୍କରେ ଭାରତ ଆଫ୍ରିକା ମହାଦେଶର ଗରିବ ରାଷ୍ଟ୍ର, ପାକିସ୍ତାନ, ବାଲାଂଦେଶ ଓ ଶ୍ରୀଲଙ୍କା ପଛରେ । ନେହେରୁ ସୃଷ୍ଟି କରିଥିବା ରାଷ୍ଟ୍ରୀୟ ସମ୍ପଦକୁ ଆଜି ଆଦାନୀ ଆଦି ଶିଳ୍ପପତିଙ୍କ ହାତରେ ଟେକି ଦିଆଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ଧର୍ମାନ୍ଧତାର ବିକଳ ଚିତ୍ର ଆମେ ଦେଖୁଛେ । ରାହୁଲ ଗାନ୍ଧି ଏବେ ଗାନ୍ଧିବାଦର ମୁଖ୍ୟ ପ୍ରଚାରକ । ଏବେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗୈରୀକ ସଂଗଠନମାନେ ମରଣାନ୍ତକ ଆକ୍ରମଣ କରୁଛନ୍ତି ଏବଂ ଭୟର ସହ ବଞ୍ôଚବା ପାଇଁ ପରିସ୍ଥିତି ସୃଷ୍ଟି କରୁଛନ୍ତି । ସେଥିପାଇଁ ରାହୁଲ ଗାନ୍ଧି କହିଲେ ଡରୋ ମତ । ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଏକ ଭୟାନକ ପରିସ୍ଥିତିକୁ ନେଇଗଲାଣି । ଏ ଦେଶର ପାଠ୍ୟ ଖସଡ଼ା ଆରଏସ୍ଏସ୍ ତିଆରି କରୁଛି । କରୋନା ଭଳି ମହାମାରୀ ଘଣ୍ଟା, ଘଣ୍ଟି, ଖୋଳ, ତାଳ ଓ କରୋନା ଗୋ ବ୍ୟାକ୍ କହି ଲଢିବା ପାଇଁ ମୋଦୀ ଭାରତବାସୀଙ୍କୁ ଉପଦେଶ ଦେଇଥିଲେ । ସତରାଂ ଏହି ମହାସଙ୍କଟମୟ ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ କେବଳ ଗାନ୍ଧି, ନେହେରୁ ବିଚାରଧାରାକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ପ୍ରଫେସର ମୁଖାର୍ଜୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ପରିସ୍ଥିତି ଉପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରଫେସର ଶ୍ରୀ ମୁଖାର୍ଜୀଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାଜେଶ ମହାପାତ୍ର ଏବଂ ଶ୍ରୀ ସତ୍ୟପ୍ରକାଶ ନାୟକ ସମ୍ମାନିତ ଅତିଥି ଭାବରେ ତାଙ୍କର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମକୁ ଅକ୍ଷରର ସମ୍ପାଦକ ଅମିୟ ପାଣ୍ଡବ ପରିଚାଳନା କରିଥିଲେ । କେ-ୱାନ ଏଣ୍ଟରଟେନମେଣ୍ଟ ପକ୍ଷରୁ ମୋନାଲି ମଧୁସ୍ମିତା ଏବଂ ଅଭିରାମ ଖୁଣ୍ଟିଆ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିସାରିବା ପରେ ସେମାନଙ୍କୁ ପ୍ରଫେସର ମୁଖାର୍ଜୀ ସମ୍ବର୍ଦ୍ଧିତ କରିଥିଲେ । ସାମ୍ପ୍ରଦାୟିକ ସଦଭାବ କ୍ଷେତ୍ରରେ କାର୍ଯ୍ୟରତ ଡ. ପଲ୍ଲବ କୁମାର ଲିମା, ସଂଘମିତ୍ରା ଜେନା ଏବଂ ସୁଶ୍ରୀ ରାଜଲକ୍ଷ୍ମୀଙ୍କୁ ସଂହତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭପାତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ଡିଜିପି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ବରିଷ୍ଠ ପ୍ରଶାସକ ସଞ୍ଜୀବ କୁମାର ହୋତା, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ରାହୁଲ ମହାନ୍ତି, ମୀର ଅହମ୍ମଦ ଅଲ୍ଲୀ, ପ୍ରସନ୍ନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


