ଭକ୍ତକବି ସାଲବେଗଙ୍କ ମହାପ୍ରୟାଣ ଦିବସ ପାଳିତ

ପୁରୀ(ଯୁଗାବ୍ଦ ନ୍ୟୁଜ୍) ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଭକ୍ତକବି ସାଲବେଗ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ତଥା ମହାନ୍ ଗୀତିକବି ଭକ୍ତସାଲବେଗଙ୍କ ମହାପ୍ରୟାଣ ଦିବସ ବଡଦାଣ୍ଡସ୍ଥିତ ଭକ୍ତ ସାଲବେଗ ସମାଧି ପୀଠଠାରେ ପାଳିତ ହୋଇଯାଇଛି । ପରିଷଦ ସଭାପତି ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି କବି ହରିହର ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବମୟ ଠାକୁର । ତାଙ୍କରି ଭାବରେ ବାନ୍ଧି ହୋଇଥିବା ଜଣେ ଭକ୍ତ ହେଲେ ସାଲବେଗ । ଏହି ଉତ୍ସବରେ ଭାଷାବିତ୍ ଡକ୍ଟର କୌଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି, ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା ଏବଂ ସାରସ୍ୱତ ସାଧକ ଡଃ ଉମେଶ ଚନ୍ଦ୍ର ଚିନ୍ନରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭକ୍ତ ସାଲବେଗଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏକାଡେମୀ ଅଧିକାରୀ ସଞ୍ଚୟ କୁମାର ଛୁଆଳସିଂହ ସ୍ୱାଗତଭାଷଣ ପ୍ରଦାନ କରିଥିଲା ବେଳେ ପରିଷଦର ସାଧାରଣ ସଂପାଦକ ସଦାଶିବ ମିଶ୍ର କାର୍ଯ୍ୟକ୍ରମର ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପରିଷଦ ସଂଗଠନ ସଂପାଦକ ଶ୍ୟାମପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଭକ୍ତ ସାଲବେଗଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । କଣ୍ଠଶିଳ୍ପୀ ଅନ୍ନପୂର୍ଣ୍ଣନା ଦେବୀ ସ୍ୱାଗତ ଭଜନ ପରିବେଷଣ କରିଥିଲେ । ସଭାପର୍ବ ପରେ ନବପ୍ରତିଭା ଅନୁଷ୍ଠାନ ପକ୍ଷରୁ ନୁତ୍ୟଗୁରୁ ଅଶୋକ କୁମାର ଦାସଙ୍କ ନିର୍ଦ୍ଦେଶନାରେ ଶିଳ୍ପୀମାନେ ଭକ୍ତକବି ସାଲବେଗଙ୍କ ରଚନାରୁ “ଆହେ ନୀଳ ଶଇଳ’ ଏବଂ ଶେଷରେ ସଂଗୀତ ସ୍ୱରରୁ କବିଙ୍କ ଆଲୋଚନା ମାଧ୍ୟମରେ ଚାରିଯୁଗର ଗାଥା ସମ୍ବଳିତ ନୃତ୍ୟନାଟିକା “ସୃଷ୍ଟି’ ପରିବେଷିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡଃ ମିଲନ୍ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ