ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖୁବ୍‌ଶୀଘ୍ର ବିଶ୍ୱର କୋଣ ଅନୁକୋଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମକୁ ଛୁଟି ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଯୋଗାଇ ଦିିଆଯିବ । ଯାହାଦ୍ୱାରା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ଆନନ୍ଦର ସହ ହାତରେ ମହାପ୍ରସାଦ ଧରି ଘରକୁ ଫେରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ହୋଟେଲ ପ୍ରେସିଡେନ୍ସିଠାରେ ନାଗରିକ ସମାଜ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାଜ୍ୟରେ ପୂର୍ବରୁ ଥିବା ସରକାର ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବାରେ ସମର୍ଥ ହୋଇନଥିଲେ । ବିଜେପି ସରକାର ତା’ର ସଂକଳ୍ପକୁ ସିଦ୍ଧି କରିବା ଲାଗି ପ୍ରଥମ କ୍ୟାବିନେଟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମହାପ୍ରଭୁଙ୍କ ଚାରିଦ୍ୱାର ଖୋଲିଲା । ଏବେ ଗଣତି ଓ ମଣତି ପ୍ରକ୍ରିୟା ଭିତରେ ରହିଛି । ଖୁବ୍‌ଶୀଘ୍ର ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ଡ଼ିଜିଟାଇଜେସନ କରାଯାଇ ବିଶ୍ୱବ୍ୟାପୀ କରାଯିବ । ଯାହାଦ୍ୱାରା ପ୍ରତ୍ୟେକ ଲୋକ ଘରେ ଥାଇ ମଧ୍ୟ ମହାପ୍ରଭୁଙ୍କ ଅଳଙ୍କାର ସମ୍ପର୍କରେ ଜାଣିପାରିବେ । କେବଳ ସେତିକି ନୁହେଁ ଇଣ୍ଟର ପ୍ରିଟିସନ ସେଣ୍ଟର କରାଯିବ । ଯାହାଦ୍ୱାରା ଯେଉଁ ଭକ୍ତମାନେ ମହାପ୍ରଭୁଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇପାରୁ ନାହାଁନ୍ତି, ସେମାନେ ଦେଖିବାର ସୁଯୋଗ ପାଇବେ । ଶ୍ରୀ ହରିଚନ୍ଦନ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଶାର ଲୋକେ ଦାଦନ ଖଟିବାକୁ ପଡ଼ୋଶୀ ରାଜ୍ୟକୁ ଯାଉଥିଲେ । ଏହାର ମୂଳକାରଣ ଖୋଜି ତା’ର ନିରାକରଣ ସ୍ୱରୂପ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟରେ ଶ୍ରମିକ ମଜୁରି ବୃଦ୍ଧି କରାଯାଇଛି । କେବଳ ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ବାଦ୍ ଦେଲେ ଅବଶିଷ୍ଟ ପଡ଼ୋଶୀ ରାଜ୍ୟରେ ଯେତିକି ଶ୍ରମିକ ପାଉଣା ମିଳୁଛି ଓଡ଼ିଶା ସହିତ ସମାନ କରାଯାଇଛି ବୋଲି ସେ କହିଥିଲେ । ଏହି ଅବସରରେ ଶ୍ରୀ ହରିଚନ୍ଦନ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ଏବଂ ସରକାର କିଭଳି ଠିକ୍ ଢଙ୍ଗରେ ଚାଲିବ, ସେ ସମ୍ପର୍କରେ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜୀବନରେ ସେ କୌଣସି ପଦପଦବୀ ପାଇଁ ଲାଳାୟିତ ନଥିଲେ । ସେ ଜୀବନରେ ଜଣେ ଅଭିନେତା ହେବା ପାଇଁ ଅଭିଳାସ ରହିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସେ କିଭଳି ସଂଘର୍ଷ କରି ନେତା ହେଲେ ତାହା ବଖାଣିଥିଲେ । ସେ କହିଥିଲେ ଯେ, ଯେଉଁ ପିଲାଟି ଦିନେ ପୁଲିସ୍‌କୁ ଦେଖିଲେ ଡରୁଥିଲା, ଆଜି ସେ ସମାଜସେବା କରିବାକୁ ଯାଇ ସଂଖ୍ୟାଧିକ ମାମଲାରେ ଜଡ଼ିତ । ଏହାବାଦ୍ କୌଣସି ମାମଲାକୁ ଖାତିର ନକରି ଲୋକଙ୍କ ସେବାକୁ ବ୍ରତୀ ଭାବେ ଧରି ନେଇଛି । ଏବେ ଯେଉଁ ମନ୍ତ୍ରୀପଦ ମିଳିଛି ତାହାଦ୍ୱାରା ଅଧିକ ଆନନ୍ଦିତ ହେବାରକ କିଛି ନାହିଁ । ଜୀବନରେ ସାଲିସ୍‌ବିହୀନ ରାଜନୀତିକୁ ଗୁରୁତ୍ୱ ଦେଇଆସିଛି । ସେବା ମୋର ଧର୍ମ ଭାବେ ଗ୍ରହଣ କରିଛି । ଡ. ମହାପାତ୍ର କହିଥିଲେ ଯେ, ନିକଟରେ ବର୍ଷା ସମୟରେ ଲକ୍ଷ୍ମୀସାଗର ପରିଦର୍ଶନ ବେଳେ ଦେଖିଲି ଯେ, ଜଣେ ଛୁଆ ପାଠ ପଢିବା ପାଇଁ କିଭଳି ମୃତ୍ୟୁ ସହିତ ସଂଘର୍ଷ କରିବାକୁ ପଡୁଛି । ଏହାକୁ ନେଇ ପୂର୍ବ ସରକାରର ଦୁର୍ନୀତିଖୋର କାର୍ଯ୍ୟକୁ ନିନ୍ଦା କରିବା ସହିତ ଖୁବ୍‌ଶୀଘ୍ର ଲୋକେ ପ୍ରକୃତ ସହର କ’ଣ ତାହା ବୁଝିପାରିବେ ବୋଲି କହିଥିଲେ ।
ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବସ୍ତିବାସିନ୍ଦା, କିନ୍ନର, ଉଠାଦୋକାନୀ ସଂଘ, ଆଉଟସୋର୍ସିଂ କର୍ମଚାରୀ ସଂଘ, ଭାରତ ସ୍କାଉଟ ଓ ଗାଇଡ୍‌, ଜାତୀୟ ଯୁବ ପ୍ରକଳ୍ପ ଭଳି ଶତାଧିକ ସଂଗଠନ ପକ୍ଷରୁ ଉଭୟ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ପୀୟୂଷ ମହାନ୍ତି, ଏନ୍‌ସିସି ନିର୍ଦ୍ଦେଶକ ସାଗର ମହାନ୍ତି, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ