ଭକ୍ତଙ୍କ ବିନା ପବିତ୍ର କାର୍ତ୍ତୀକରେ ଏକା ଏକା ପୂଜା ପାଉଛନ୍ତି ତିନି ଦିଅଁ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପ୍ରତ୍ୟେକ ବର୍ଷ ପବିତ୍ର କାର୍ତ୍ତୀକରେ ଭକ୍ତଙ୍କ କୋଳାହଳ ଓ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇ ୩ଦିଅଁଙ୍କ ପୂଜା ବିଧି ପାଳନ ହୁଏ । ଏଥି ପୂର୍ବରୁ ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପବିତ୍ର କାର୍ତ୍ତୀକ ମାସରେ ତିନି ଠାକୁର ପୂଜା ପାଉଥିଲେ । ବର୍ତ୍ତମାନ ଅସ୍ଥାୟୀ ଭାବେ ମୁଖ୍ୟ ମନ୍ଦିର ଠାରୁ ଅନ୍ୟତ୍ର ୩ ଦିଅଁଙ୍କୁ ରଖାଯାଇ ପୂଜାପାଠ କରାଯାଉଛି । ଦୀର୍ଘ ଦିନ ହେବ ପୂରାତନ ମନ୍ଦିରର ଉନ୍ନତି କରଣ କାର୍ଯ୍ୟ ପାଇଁ ମନ୍ଦିରଟିକୁ ଭଙ୍ଗା ଯାଇଥିଲେ ମଧ୍ୟ ଏହାର ନବୀକରଣ ହୋଇପାରୁ ନାହିଁ । ଏହି ମନ୍ଦିର ରଜାରାଜୁଡା ଅମଳର ଏକ ପୁରାତନ ମନ୍ଦିର ଭାବେ ଦକ୍ଷିଣ ଓଡିଶାରେ ବେସ ପ୍ରସିଦ୍ଧି ଲାଭ କରିଛି । ଏହି ମନ୍ଦିରକୁ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁ ମାନେ ଆସି ୩ ଠାକୁରଙ୍କ ଦର୍ଶନ କରିଥାନ୍ତି । ବର୍ତ୍ତମାନ ପବିତ୍ର କାର୍ତ୍ତୀକ ଧର୍ମ ମାସ ଚାଲିଥିବା ଯୋଗୁଁ ଏଠାରେ ଶ୍ରଦ୍ଧାଳୁ ମାନଙ୍କର ଅସମ୍ଭବ ଭିଡ ଆରତୀ ସମୟରେ ଦେଖିବାକୁ ମିଳେ । ହେଲେ ବର୍ତ୍ତମାନ କରୋନା କଟକଣା ଯୋଗୁଁ ତିନି ଠାକୁର ଭକ୍ତଙ୍କ ବିନା ପବିତ୍ର କାର୍ତ୍ତୀକ ମାସରେ କେବଳ ପୂଜାପାଠର ନିତି ନୀୟମରେ ଏକାଏକା ପୂଜା ପାଉଛନ୍ତି ।


