ଭକ୍ତ ଦାସିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଓଡ଼ିଶାବାସୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଭକ୍ତ ଦାସିଆଙ୍କର ତିରୋଧାନ ଦିବସ ଆଗାମୀ ୫ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ମହାସମାରୋହରେ ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମାନ୍ୟବର ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଏହି ଅବସରରେ ଭକ୍ତ ଦାସିଆଙ୍କ ଗ୍ରାମ ବାଲିଗାଁରୁ ଦାସ ସମ୍ପ୍ରଦାୟର ୭ ଜଣ ବିଶିଷ୍ଟ ସେବକଙ୍କୁ ଭକ୍ତ ଦାସିଆ ସେବା ସମ୍ମାନ ପ୍ରଦାନ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ, ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର । ୭ ଜଣଙ୍କ ମଧ୍ୟରେ ଅଛନ୍ତି ପଞ୍ଚୁ ସାମଲ, ବନ୍ଧୁ ଦାସ, ସୁଦର୍ଶନ ଦାସ, ଯୋଗେନ୍ଦ୍ର କୁମାର ସାହୁ, ଜୟକୃଷ୍ଣ ରାଉତ, ନାରାୟଣ ପଲାଇ, କୃଷ୍ଣଚନ୍ଦ୍ର ଲେଙ୍କା । ଏହି ଭକ୍ତମାନେ ବାଲିଗାଁସ୍ଥିତ ଭକ୍ତ ଦାସିଆ ପୀଠର ଉନ୍ନତିକରଣ ପାଇଁ ଯଥେଷ୍ଟ ଅବଦାନ କରିଛନ୍ତି । ଭକ୍ତ ଦାସିଆ ପୀଠର ବିକାଶ ପାଇଁ ଭକ୍ତ ଦାସିଆ ସ୍ମୃତି କମିଟି ଅକ୍ଲାନ୍ତ ପରିଶ୍ରମ ବଳରେ ପାରିପାଶ୍ୱର୍ିକ ଉନ୍ନତି ସମ୍ଭବ ହୋଇଛି । ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅତିଥି ଭବନ ଓ ଭକ୍ତ ଦାସିଆ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି । ଭକ୍ତ ଦାସିଆଙ୍କର ସ୍ମୃତି ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ରାସ୍ତାର ନାମକରଣ ପାଇଁ ବହୁବର୍ଷ ଦାବୀ ହୋଇ ଆସୁଥିଲେ ମଧ୍ୟ ତାହା ପୂରଣ ହେବା ସମ୍ଭବ ହୋଇନାହିଁ । ଆଜି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଅଶୋକ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଦାସିଆଙ୍କର ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଏହାଦ୍ୱାରା ଦାସ ସମ୍ପ୍ରଦାୟକୁ ଉଚିତ୍ ସମ୍ମାନ ମିଳିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳସ୍ଥିତ ଭୁବନ ଗ୍ରାମର ଓଡ଼ିଆଝିଅ ଦିପ୍ତିଜ୍ୟୋତି ପଟ୍ଟନାୟକ ଭାରତ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଅଗ୍ରଣୀ ଓଡ଼ିଆ ପକ୍ଷରୁ ଶ୍ରୀ ଶୁଭେନ୍ଦୁ ଦାସ ଓ ଦିପ୍ତି ପଟ୍ଟନାୟକଙ୍କୁ ଆଜି ସାମ୍ବାଦିକ ସମ୍ମିଳନୀରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀ ସମୀର ରଞ୍ଜନ ଦାଶ, ପିପିଲି ମହାବିଦ୍ୟାଳୟର ଅଧ୍ୟାପିକା ଡ. ପ୍ରତିଭା ମହାରଥୀ, ସଂସ୍କୃତି ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଜେଏସ୍ପିଏଲ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ହୋତା, ପାରାଦ୍ୱୀପ ପୋର୍ଟର ପ୍ରାକ୍ତନ ସଚିବ ଶ୍ରୀଯୁକ୍ତ ପ୍ରଭାତ କୁମାର ନନ୍ଦ ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ବିନାୟକ ରଥ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବେ ଭକ୍ତ ଦାସିଆ ସ୍ମୃତି କମିିଟିର ଅଧ୍ୟକ୍ଷ ତଥା ଓଡ଼ିଶାର ବରେଣ୍ୟ ନାୟକ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ । ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ମୃତି କମିଟିର ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ, ଇଂ ଦେବ ନାରାୟଣ ପାଲ, ପରେଶ ନାୟକ, ଡ. ଚିତ୍ତରଞ୍ଜନ ମିଶ୍ର ଓ ବିଶିଷ୍ଟ ଶିକ୍ଷାବିତ୍ ବିନାୟକ ରଥ ପ୍ରମୁଖ ଯୋଗ ଦେଇ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ଜଣାଇଥିଲେ ।


