ଭଗବାନ୍ ଶ୍ରୀକୃଷ୍ଣଙ୍କ ଲୀଳାଭୂମି : ବୃନ୍ଦାବନ
ଦୁନିଆର ସମସ୍ତ ପ୍ରେମ କାହାଣୀ ମଧ୍ୟରେ ସବୁଠାରୁ ନିଆରା ହେଉଛି ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ। ଏଥିପାଇଁ ବିଶ୍ବରେ ଅନେକ ମନ୍ଦିରରେ ରାଧାକୃଷ୍ଣଙ୍କ ମୂର୍ତ୍ତି ପୂଜା କରାଯାଇଥାଏ। ଭାରତରେ ଏଭଳି ଅନେକ ମନ୍ଦିର ରହିଛି, ଯାହା ବହୁତ ନିଆରା ଓ ଚମତ୍କାରୀ ଅଟେ। ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣଙ୍କର ଏଭଳି ଏକ ମନ୍ଦିର ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନ୍ଦିର ଏତେ ଚମତ୍କାରୀ ଯେ ଯାହା ସମ୍ପର୍କରେ ଜାଣିବା ପରେ ଆପଣ ଚକିତ ହୋଇଯିବେ। ଏହି ମନ୍ଦିର ଆପେ ଆପେ ଖୋଲିବା ସହିତ ବନ୍ଦ ମଧ୍ୟ ହୋଇଥାଏ।
ଏଠାରେ ପୂଜାରୀଙ୍କ କହିବା କଥା ହେଲା ଏହି ମନ୍ଦିରକୁ ଭଗବାନ ଶ୍ରୀକୃଷ୍ଣ ଶୟନ କରିବାକୁ ଆସିଥାନ୍ତି। ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଶୟନ ପାଇଁ ପ୍ରତ୍ୟେକ ଦିନ ବିଛଣା ଲଗାଯାଇଥାଏ। ବିଛଣାରେ ସଫା ସୁତୁରା ଗଦି ଓ ବେଡ୍ଶିଟ୍ ବିଛା ଯାଏ। ଯେତେବେଳେ ଏହି ମନ୍ଦିର ଖୋଲାଯାଏ, ବିଛଣା ଯେଉଁଭଳି ଭାବେ ଲୋଚା କୋଚା ହୋଇଥାଏ, ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ଏଥିରେ କେହି ଶୟନ କରିଥିଲେ। ପ୍ରତ୍ୟେକ ଦିନ ସକାଳେ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପୂଜା ପରେ ଲହୁଣୀ-ମିଶ୍ରି ଭୋଗ ଲଗାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ। ଯେଉଁ ପ୍ରସାଦ ବଳକା ରହିଯାଏ, ତାହାକୁ ମନ୍ଦିରରେ ରଖି ଦିଆଯାଏ। ପୂଜାରୀଙ୍କ କହିବାନୁସାରେ ବଳକା ପ୍ରସାଦ ସକାଳକୁ ଶେଷ ହୋଇଯାଏ। ଲୋକ କଥାନୁସାରେ ଶ୍ରୀକୃଷ୍ଣଙ୍କୁ ଲହୁଣୀ ବହୁତ ପସନ୍ଦ ହୋଇଥିବାରୁ ସେ ମନ୍ଦିର ଆସି ଏହି ପ୍ରସାଦ ଖାଉଛନ୍ତି।
ବୃନ୍ଦାବନ ମନ୍ଦିରରେ ଶ୍ରୀକୃଷ୍ଣ ଓ ରାଧା ରାସଲୀଳା କରିବାକୁ ଆସିଥାନ୍ତି। କୁହାଯାଏ, ଏହି ରାସଲୀଳା କୌଣସି ସାଧାରଣ ବ୍ୟକ୍ତି ଦେଖିପାରିବେ ନାହିଁ। ଯଦି କେହି ଏହା ଦେଖନ୍ତି, ତେବେ ସେ ପାଗଳ ହୋଇଯାଆନ୍ତି ଓ ତାଙ୍କ ଆଖିର ରଶ୍ମୀ ଚାଲିଯାଏ ବୋଲି ଶୁଣିବାକୁ ମିଳିଥାଏ। ତେଣୁ ମନ୍ଦିର ପାଖ ଘରେ ଝରକା ଲଗାଯାଇ ନାହିଁ। ଏପରିକି ସନ୍ଧ୍ୟା ଆଳତୀ ପରେ ମନ୍ଦିର ପ୍ରବେଶ ନିଷେଧ ରହିଛି। ମାନ୍ୟତା ଅନୁସାରେ ଏହି ମନ୍ଦିରରେ ତାନସେନଙ୍କ ଗୁରୁ ସନ୍ଥ ହରିଦାସ ନିଜ ଭଜନ ମାଧ୍ୟମରେ ରାଧା-କୃଷ୍ଣଙ୍କ ଯୁଗ୍ମ ରୂପ ଦର୍ଶନ କରିଥିଲେ। ଏଠାକୁ ରାଧାକୃଷ୍ଣ ବିହାର କରିବାକୁ ଆସିଥାନ୍ତି ବୋଲି ବିଶ୍ବାସ ରହିଛି। ଏଠାରେ ସନ୍ଥ ହରିଦାସଙ୍କ ସମାଧି ମଧ୍ୟ ରହିଛି।


