ଭଗବାନ ବୁଦ୍ଧଙ୍କ ମୃଦୁ ହସ ଓ ପରମାଣୁ ବୋମା


ସନ୍ତୋଷ କୁମାର ଦାଶ

ଏବେ ପୃଥିବୀର ବିଭିନ୍ନ ସ୍ଥାନରେ ଯୁଦ୍ଧ ଚାଲିଥିବା ବେଳେ ଆମ ଦେଶ ଭାରତ ଓ ପଡ଼ୋଶୀ ପାକିସ୍ତାନ ଦେଶ ମଧ୍ଯରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବୈଶାଖ ମାସର ପବିତ୍ର ପୂର୍ଣ୍ଣିମା ତିଥି। ଏହା ବୌଦ୍ଧ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ନାମରେ ପରିଚିତ। ଏହି ଦିନ ଭଗବାନ ବୁଦ୍ଧ ଜନ୍ମ ନେଇଥିଲେ ଓ ବୁଦ୍ଧତ୍ଵ ପ୍ରାପ୍ତି କରିଥିଲେ। ସାରା ବିଶ୍ବ ରେ ଏବେ ବାସ କରୁଥିବା ୫୦ କୋଟିରୁ ଉର୍ଦ୍ଧ ବୌଦ୍ଧ ଧର୍ମାବଲମ୍ବୀ ଏହି ଦିନ ଟିକୁ ପର୍ବ ଭାବେ ବେଶ ଧୁମ୍ ଧାମରେ ପାଳନ କରିଥାନ୍ତି। ଅପର ପକ୍ଷରେ ସନାତନ ହିନ୍ଦୁ ଧର୍ମରେ ଭଗବାନ ବୁଦ୍ଧଙ୍କୁ ଶ୍ରୀ ନାରାୟଣଙ୍କ ୯ମ ଅବତାର ଭାବେ ଗ୍ରହଣ କରାଯାଇ ଥିବାରୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ମଧ୍ୟ ବୁଦ୍ଧ ପୂର୍ଣ୍ଣିମାକୁ ଉତ୍ସବ ଭାବେ ପାଳନ କରିଥାନ୍ତି। ବିଭିନ୍ନ ସ୍ଥାନରେ
ଏହି ଦିନ ବୌଦ୍ଧ ଉତ୍ସବ ଓ ଦ୍ଵାଦଶ ଭାଗବତ ଗାଦି ଠାକୁରଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ। ଭଗବାନ ବୁଦ୍ଧଙ୍କ ବାଣୀ ହେଉଛି ” କାମନାର ବିନାଶରେ ଦୁଃଖର ବିନାଶ” ଯଦି ମନୁଷ୍ୟ କିଛି କାମନା ନ କରି ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ହୋଇ ଭଗବାନଙ୍କ ପଥ ଅନୁସରଣ କରି ନିଜକୁ ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦେବ ତେବେ ସେ ଏହି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇ ନିର୍ବାଣ ପ୍ରାପ୍ତି ବା ମୋକ୍ଷ ଲାଭ କରି ପାରିବ।ଭଗବାନ ବୁଦ୍ଧଙ୍କ ଏହି ବାଣୀ ସମଗ୍ର ମାନବ ସମାଜ ପ୍ରତି ଏକ ଦିବ୍ୟ ବାଣୀ ହୋଇଥିବାରୁ ବୌଦ୍ଧ ଧର୍ମ ସାର୍ବଜନୀନ ଓ ବ୍ୟାପକ ହୋଇ ପଡ଼ିଥିଲା। କେବଳ ଓଡ଼ିଶା କି ଭାରତ ନୁହେଁ ସମଗ୍ର ବିଶ୍ବରେ ବୌଦ୍ଧ ଧର୍ମ ଏକ ସାର୍ବଜନୀନ ଧର୍ମ ଭାବେ ଲୋକାଦୃତ ଓ ପରିଚିତି ଲାଭ କରିପାରିଥିଲା। ଭଗବାନ ବୁଦ୍ଧଙ୍କ ଜନ୍ମକୁ ନେ଼ଇ ଭିନ୍ନ ଐତିହାସିକ ମତ ରହିଛି। କିଛି ଐତିହାସିକ ତାଙ୍କ ଜନ୍ମ ନେପାଳର ଲୁମ୍ବିନୀ ରେ ହୋଇଥିବା ମତ ପ୍ରକାଶ କରୁଥିବାବେଳେ ଆଉ କିଛି ଐତିହାସିକ ତାଙ୍କ ଜନ୍ମ ସ୍ଥାନ ଆମ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ନିକଟସ୍ଥ କପିଳେଶ୍ୱର ଠାରେ ହୋଇଥିବା ତଥ୍ୟ ପ୍ରମାଣ କିମ୍ବଦନ୍ତୀ ଦେଇ ମତ ପ୍ରକାଶ କରୁଛନ୍ତି । ସେ ଯାହା ହେଉନା କାହିଁକି ଆମ ରାଜ୍ୟ ରେ ଯେ ଦିନେ ବୌଦ୍ଧ ଧର୍ମ ଲୋକପ୍ରିୟ ହୋଇ ବହୁଳ ଭାବେ ପ୍ରଚାର ଓ ପ୍ରସାର ଲାଭ କରିଥିଲା ଏହାର ପ୍ରମାଣ ମିଳୁଛି। ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ବୌଦ୍ଧ ବିହାର, ସ୍ତୁପ, ମୂର୍ତ୍ତୀ, ଐତିହ୍ୟ ସବୁକୁ ଦେଖିଲେ ଓ ଅନୁଧ୍ୟାନ କଲେ ବୁଦ୍ଧ ଙ୍କ ଜନ୍ମ ସ୍ଥାନ ଯେ ଆମ ରାଜ୍ୟ ଓଡ଼ିଶା ଏହା ଭାବିବାକୁ ବାଧ୍ୟ କରେ। ଆମ ରାଜ୍ୟ ରେ ବି ହଜାର ହଜାର ବୌଦ୍ଧ ଧର୍ମାବଲମ୍ବୀ ଏବେ ବି ବାସ କରୁଥିବା ଦେଖିବାକୁ ମିଳେ। ଆମ ଓଡ଼ିଆଙ୍କ ଗଣଦେବତା ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଓ ପୂଜା ପଦ୍ଧତିରେ ବି ବୌଦ୍ଧ ଧର୍ମର ଛାପ ଦେଖିବାକୁ ମିଳେ। ବୁଦ୍ଧ ପୂର୍ଣ୍ଣିମା ଆମ ଓଡ଼ିଆଙ୍କ ଏକ ବିଶେଷ ପର୍ବ ଭାବେ ପାଳିତ ହୋଇଆସୁଛି। ଏବେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପଡ଼ୋଶୀ ଦେଶ ପରମାଣୁ ବୋମା ଆକ୍ରମଣ କରିବାର ଧମକ ଦେଉଛି। ଗତ ୧୯୭୪ ମସିହା ମେ ୧୮ ତାରିଖ ଦିନ ରାଜସ୍ଥାନର ପୋଖରାନ ଠାରେ ଆମ ଦେଶ ପ୍ରଥମ ଥର ପାଇଁ ପରମାଣୁ ବୋମା ପରୀକ୍ଷଣ କରି ସାରା ବିଶ୍ବକୁ ଚକିତ କରି ଦେଇଥିଲା। ଅନେକ ହୁଏତ ଜାଣିନଥିବେ ଯେ, ସେ ଦିନଟି ଥିଲା ବୁଦ୍ଧ ପୂର୍ଣ୍ଣିମା ଓ ପରମାଣୁ ବୋମା ପରୀକ୍ଷଣର କୋଡ଼ ନାଁ ରଖା ଯାଇଥିଲା ‘ଦ ସ୍ମାଇଲିଙ୍ଗ ବୁଦ୍ଧ ‘। ବୁଦ୍ଧପୂର୍ଣ୍ଣିମା ଦିନ ଆମ ଦେଶ ଭାରତ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ବିଶ୍ବବିଦିତ ହୋଇ ପାରିଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ଥିଲେ ଆଇରନ ଲେଡି ଇନ୍ଦିରା ଗାନ୍ଧୀ। ଏହା ପରେ ୧୯୯୮ ମସିହା ମେ ୧୧ ତାରିଖରେ ଭାରତ ଦ୍ଵିତୀୟ ଥର ପାଇଁ ତାର ପରମାଣୁ ବୋମାର ପରୀକ୍ଷଣ ସେହି ରାଜସ୍ତାନର ପୋଖରାନ ଠାରେ କରିଥିଲା। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ। ସଂଯୋଗକୁ ଏହି ପରୀକ୍ଷଣର କୋଡ଼ ନାଁ ମଧ୍ୟ ଥିଲା ‘ ବୁଦ୍ଧ ସ୍ମାଇଲିଙ୍ଗ ଏଗେନ୍ ‘ ଓ ସେ ଦିନ ବି ଥିଲା ପବିତ୍ର ବୁଦ୍ଧ ପୂର୍ଣ୍ଣିମା। ଏଥିପାଇଁ ବିଭିନ୍ନ ଦେଶ ଭାରତ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ କରିଥିଲେ। ଭାରତୀୟ ଆଣବିକ ଶକ୍ତି କେବଳ ଶାନ୍ତି ପାଇଁ ଉଦ୍ଦିଷ୍ଟ, ଏହା ହିଂସା କିମ୍ବା ଯୁଦ୍ଧ ପାଇଁ ନୁହେଁ ବୋଲି ଭାରତ ବିଶ୍ବ ସମୁଦାୟକୁ ବୁଝାଇବାରେ ସଫଳ ହୋଇଥିଲା। ଭାରତ କହିଥିଲା ଯେ, ଭଗବାନ ବୁଦ୍ଧ ହେଉଛନ୍ତି ଶାନ୍ତିର ପ୍ରତୀକ। ତାଙ୍କ ଜନ୍ମଦିନ ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧଙ୍କ ମୃଦୁ ହସ କେବଳ ବିନାଶକାରୀ ଶକ୍ତିଙ୍କ ସହିତ ଶାନ୍ତି ଓ ମୈତ୍ରୀର ପ୍ରତୀକକୁ ଯୋଡ଼ିବାର ଦିଗକୁ ଆଲୋକିତ କରୁଛି। ବୁଦ୍ଧ ପୂର୍ଣ୍ଣିମାରେ ପରମାଣୁ ବୋମା ପରୀକ୍ଷଣ ଶାନ୍ତି, ଶକ୍ତି ଓ ଜ୍ଞାନର ଭାବନା ଜାଗ୍ରତ କରୁଛି। ବୁଦ୍ଧଙ୍କ ମୃଦୁ ହସ ଶାନ୍ତି ଓ ଶକ୍ତିର ସମନ୍ଵୟ। ବୁଦ୍ଧଙ୍କ ହସରେ ଥିବା ପ୍ରଶାନ୍ତିକୁ ଭାରତ ଗ୍ରହଣ କରିଛି।

ତୁଳସୀପୁର। ପୁରୀ।୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ