ଭଗବାନ ଶିବଙ୍କ ପୂର୍ବରୁ ରାବଣଙ୍କୁ କରାଯାଏ ପୂଜା
ଦୁନିଆରେ ଏମିତି ଅନେକ ମନ୍ଦିର ରହିଛି, ଯାହାର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି । ହେଲେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଭଗବାନ ଶିବଙ୍କ ପୂର୍ବରୁ ଲଙ୍କେଶ୍ୱର ରାବଣଙ୍କ ପୂଜା ହୋଇଥାଏ । ଏହା ପଛରେ ଏକ କାହାଣୀ ରହିଛି । ଉଦୟପୁରଠାରୁ ୮୦ କି.ମି ଦୂରରେ ଅବସ୍ଥିତ ଏକ ପାହାଡ଼ ଉପରେ ରହିଛି ଭଗବାନ ଶିବଙ୍କ ଏକ ବହୁ ପୁରାତନ ମନ୍ଦିର । ପୁରାଣ ଅନୁସାରେ ରାବଣ ଏହି ମନ୍ଦିରର ସ୍ଥାପନା କରିଥିଲେ । ଏହି ସ୍ଥାନରେ ରାବଣ ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଭଗବାନ ଶିବଙ୍କୁ ଅର୍ପିତ କରିଥିଲେ । ସେହି ସମୟରେ ଭଗବାନ ଶିବ ପ୍ରସନ୍ନ ହୋଇ ରାବଣଙ୍କ ନାଭିରେ ଅମୃତ କୁଣ୍ଡ ସ୍ଥାପିତ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ଶିବଙ୍କୁ ପୂଜା କରିବା ପୂର୍ବରୁ ରାବଣଙ୍କ ପୂଜା କରାଯାଇଥାଏ । ଏପରି ନ କଲେ ପୂଜା ବ୍ୟର୍ଥ ହୋଇଥାଏ ବୋଲି ମାନ୍ୟତା ରହିଛି ।


