ଭଙ୍ଗା କୁଡିଆରେ ୯ ପ୍ରାଣୀ ,କାହା ସ୍ୱାର୍ଥରେ ଆବାସ ଯୋଜନା
ମୋହନା, (ଅଂଶୁମାନ ପଣ୍ଡା):ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରତ୍ୟେକ ଅସହାୟ, ଗରିବ ତଥା ଭୂମି ହୀନ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଭଳି ଏକ ମହତ୍ୱଆକାଂକ୍ଷୀ ଯୋଜନାରେ ସାମିଲ କରି ପକ୍କା ଘର ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି ।ହେଲେ ରାଜ୍ୟରେ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବାରୁ ଏବେବି ଭଙ୍ଗା କୁଡିଆରେ ଜୀବନ ଯାପନ କରୁଛନ୍ତି ୯ ପ୍ରାଣୀ କୁଟୁମ୍ବ ।ନା ଘରର ଚାରି କାନ୍ଥ ଠିକ୍ଅଛି ! ନା ଘରେ କବାଟ ଖଣ୍ଡିଏ ଲାଗିଛି ।କାନ୍ଥ କହିଲେ, ମାଟି କାଦୁଅରେ ଅଧାଗଢା କାନ୍ଥ ଥିବା ବେଳେ ଚାରି ପଟେ କେଉଁଠି ବାଉଁଶରେ ତିଆରି ଚାଞ୍ଚ ତ ,କେଉଁଠି ଜରିଅଖା ତ କେଉଁଠି ଲୁଗା ପକାଇ ଆବଧ କରାଯାଇଛି । ଘରର ଛାତ କହିଲେ ଉପରେ କେଈଖଣ୍ଡ ଝିକର ପଡିଛି ।ଆଉ ଏଭଳି ଘରେ ଜଣେ କି ଦୁଇ ଜଣ ନୁହଁ । କୋମଳମତି ଶିଶୁ ଠାରୁ ଆରମ୍ଭ କରି ଶତାୟୁ ବୃଧା ପର୍ଯ୍ୟନ୍ତ ୯ ଜଣ ଏହି କୁଡିଆ ଘରେ ବିତାଉଛନ୍ତି ଜୀବନ ।ଏହି ଘରଟି ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ଜିରାଙ୍ଗ ପଞ୍ଚାୟତ ଡରାବ ଶବର ସାହିର ରଜନୀ ଶବରଙ୍କ ଘର ।ଏହି ଘରେ ରଜନୀ ,ତାଙ୍କ ସ୍ୱାମୀ ସନ୍ୟାସୀ ,ଶାଶୁ ରଇବାରୀ ଦୁଇ ପୁଅ ଗଣପତି ଓ ଅର୍ଜୁନ,ଝିଅ ଦେବକୀ ,ବୋହୁ ମୋହିନୀ ଙ୍କ ସହ ଦୁଇଟି କୋମଳମତି ନାତୁଣୀକୁ ମିଶାଇ ମୋଟ ୯ ଜଣ ଏହି ଭଙ୍ଗା ଦଦରା ଘରେ ରହୁଛନ୍ତି ।ତେବେ ରଜନୀ,ସନ୍ୟାସୀ, କୁହନ୍ତି ୮/୧୦ ବର୍ଷ ତଳେ ସରକାର ୪୮ ହଜାର ଟଙ୍କା ବ୍ୟୟ ଅଟକଳରେ ପକ୍କା ଘର କରିବା ପାଇଁ କାର୍ଯ୍ୟାଦେଶ ପାଇ ୨୦ ହଜାର ଟଙ୍କା ପାଇଥିଲୁ ।ହେଲେ ସେହି ସମୟରେ ଘରେ ପ୍ରାୟ ସମସ୍ତେ ଜର ରୋଗରେ ଆକ୍ରାନ୍ତ ହେବା ସହ ତାହାର କିଛି ବର୍ଷ ପରେ ମୁଲଲାଗିବା ପାଇଁ ଯିବାବେଳେ ଟ୍ରାକ୍ଟର ଦୂର୍ଘଟଣା ଯୋଗୁଁ ଉଭୟ ରଜନୀ ଓ ସନ୍ୟାସୀ ଗୁରୁତର ଆହତ ହେବା ଯୋଗୁଁ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଯିବାରୁ ସେମାନେ ଆଉ ଘରନିର୍ମାଣ କରିପାରିନଥିଲୁ।ଏବେ ବାଧ୍ୟ ହୋଇ ଏମିତି ଘରେ ରହୁଛୁ ।ବର୍ଷା ଦିନ ହୋଇଗଲେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଉଛୁ ।ତେଣୁ ଏବେ ନୂଆଁ ଯୋଜନାରେ ତାଲିକା ଭୂକ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଅନେକ ବଡ଼ବଡଡିଆ ବାବୁଙ୍କୁ ଜଣାଇଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣୁନଥିବା କହିଛନ୍ତି ବୋହୂ ମୋହିନୀ ଶବର । ଘରର ଅବସ୍ଥା ଏମିତି ଥିବା ବେଳେ ।ଟ୍ରାକ୍ଟର ଦୂର୍ଘଟଣାରେ ଉଭୟ ରଜନୀ ଓ ତାଙ୍କ ସ୍ୱାମୀ ସନ୍ୟାସୀଙ୍କ ହାତ କାମ କରିବା ପାଇଁ ଅକ୍ଷମ ହୋଇଯାଇଛି ।ସନ୍ୟାସୀଙ୍କୁ ପ୍ରଶାସନ ୬୦%ଭିନ୍ନକ୍ଷମ ବୋଲି ପ୍ରମାଣ ପତ୍ର ଦେଇଥିଲେ ମଧ୍ୟ ଆଜି ଯାଏଁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପାଉନାହାନ୍ତି ।ଶତାୟୁ ଶାଶୁ ରଇବାରୀ ବହୁ ବର୍ଷ ତଳେ ପଡିଯାଇ ଗୋଡରେ ଆଘାତ ଯୋଗୁଁ ଚଲାବୁଲା କରିପାରୁନଥିବା ବେଳେ ଦୁଇ ମାସ ହେବ ଭତ୍ତା ମଧ୍ୟ ମିଳୁନି । ବଡ଼ ପୁଅ ଗଣପତିଙ୍କୁ ଭଲରେ କାନକୁ ଶୁଭୁନାହିଁ । ସାନ ପୁଅ ଅର୍ଜୁନ ଜିରାଙ୍ଗ ବିଦ୍ୟାଳୟରେ ପାଠପଢୁଥିଲେ ମଧ୍ୟ ପରିବାର ଚଳାଇବା ପାଇଁ ବିଦ୍ୟାଳୟ କୁ ଠିକ୍ ରେ ନଯାଇ ଅଧିକ ସମୟ କୁଲି ମଜୁରୀ କାମ କରୁଥିବା ବେଳେ ସାନ ଝିଅ ଦେବକୀ ମଧ୍ୟ କୁଲି ମଜୁରୀ କରି ପରିବାର ଚଳାଉଛନ୍ତି ।ଏମାନେ ଏମିତି ଦୂର୍ଦଶା ରେ ରହୁଥିବା ବେଳେ ଏମାନଙ୍କ ପ୍ରତି ଯେମିତି ସରକାରୀ ବାବୁ ହୁଅନ୍ତୁ କି ନେତାଙ୍କ ପଡୁନି ନଜର । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭଲ ଘରଟିଏ ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ ବଡ଼ପୁଅ ଗଣପତି ଙ୍କ ସହ ସ୍ଥାନୀୟ ଗ୍ରାମବାସୀ ।ଅନ୍ୟ ପଟେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଲୋକ କଲ୍ୟାଣ ତଥା ମହତ୍ୱଆକାଂକ୍ଷୀ ଯୋଜନା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ବିଫଳ ବୋଲି ମତ ପ୍ରକାଶ କରିଛନ୍ତି ବୁଧିଜିବୀ ।ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ପକ୍କା ଘର ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ତାହାକୁ ସଫଳରୂପାୟନ କରିବା ପାଇଁ ଅଯୋଗ୍ୟ କାହିଁକି ?


