ଭଙ୍ଗା ଚାଳିଆରେ ଆଠ ପ୍ରାଣୀଙ୍କ ଜୀବନ
ବାରିକପୁର,(ଓ୍ବାଇଏନ୍ଏସ୍): ସରକାର ଜନହିତକର କାର୍ଯ୍ୟ ପାଇଁ ଯେତେ ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା କେଉଁଠି ନା କେଉଁଠି ଏହାର ବ୍ୟାପକ ତୃଟି ରହିଯାଉଛି । ଏପରିକି ସରକାରଙ୍କ ପ୍ରଚାର ପ୍ରସାର ଏଦିଗରେ ଯେତେ ସୁନ୍ଦର ଦିସୁଛି ପ୍ରକୃତପକ୍ଷେ କାର୍ଯ୍ୟ କ୍ଷେତ୍ରରେ ତାହା କିନ୍ତୁ ସୁଦୂର ପ୍ରସାରୀ ଭଳି ଲାଗୁଛି । ବିଶେଷକରି ବର୍ତ୍ତମାନ ସମୟରେ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ପକ୍କାଘର ନିର୍ମାଣ ପାଇଁ ଅଧିକ ବ୍ୟୟ ବରାଦ କରୁଥିଲେ ବି ବ୍ୟବସ୍ଥାଗତ ତୃଟି ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ମିଳିଥିବା ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଆଜୁ ୨୦ବର୍ଷ ତଳେ ପକ୍କା ଗୃହ ନିର୍ମାଣ ପାଇଁ ୨୦ହଜାର ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । ଆର୍ଥିକ ଭାବେ ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟକର ଥିବାବେଳେ କାର୍ଯ୍ୟଦେଶ ମିଳିବାର କିଛିଦିନ ପରେ ସେ ରୋଗଗ୍ରସ୍ତ ହୋଇଯାଇଥିଲେ । ତେଣୁ ପକ୍କା ଘର ନିର୍ମାଣ ପାଇଁ ତାଙ୍କ ପକ୍ଷେ ଅସମ୍ଭବ ଥିବାରୁ ପଞ୍ଚାୟତ ସ୍ତରୀୟ ନେତାଙ୍କ ଜରିଆରେ ସମ୍ପୂର୍ଣ୍ଣ ଘରଟିଏ ପାଇଁ ସେ ଠିକାଦାରଙ୍କୁ ଆଶ୍ରା କରିଥିଲେ । ଯଥେକଷ୍ଟେ ଚାରିଗୋଟି ପିଲର ସହିତ ମାଟି ପତନର ଗ୍ରେଡ ବିମଟିଏ ପଡି ଘରର ସମ୍ପୂର୍ଣ୍ଣ ଅର୍ଥ ଖର୍ଚ୍ଚ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଘରକୁ ପୂର୍ଣ୍ଣ କରିବା ପାଇଁ ଦାୟିତ୍ୱ ନେଇଥିବା ଠିକାଦାର କିମ୍ବା ପଞ୍ଚାୟତ ସ୍ତରୀୟ ନେତା ଏବିଷୟରେ କୌଣସି ମୁଣ୍ଡକାନ ହଲାଇନଥିଲେ । ଧିରେଧିରେ ବଜାର ଚାହିଦା ଅନୁଯାୟୀ ଜିନିଷପତ୍ରର ଦରଦାମ ବୃଦ୍ଧି ହେବାରୁ ପକ୍କାଘର ଖଣ୍ଡେ ନିର୍ମାଣ କରିବା ବିଦ୍ୟାଧରଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ସେବେଠାରୁ ୮୦ବର୍ଷର ବିଧବା ମାଆ, ପତ୍ନୀ ଓ ପୁଅ -ବୋହୂ, ନାତି, ନାତୁଣୀ ଆଠ ପ୍ରାଣୀଙ୍କୁ ଧରି ଖଙ୍ଗା ଚାଳିଆରେ କାଲାତିପାତ କରୁଛନ୍ତି । ଜମିବାଡି ବିହୀନ ପରିବାର ପାଇଁ ପକ୍କାଘର ଆଜି ସ୍ୱପ୍ନ ପାଲଟିଯାଇଛି । ନିୟମ ଅନୁସାରେ ଥରେ ଗୃହ ପାଇଁ କାର୍ଯ୍ୟାଦେଶ ପାଇଥିବା ବ୍ୟକ୍ତିଙ୍କ ନାମରେ ଦ୍ୱିତୀୟବାର ସରକାରୀ ସାହାଯ୍ୟ ମିଳିବ ନାହିଁ । ଏପଟେ ବିଦ୍ୟାଧରଙ୍କ ପାଇଁ ମିଳିଥିବା ପ୍ରଥମ କାର୍ଯ୍ୟାଦେଶର ଅର୍ଥ ସମ୍ପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର ହୋଇନଥିବାବେଳେ ନିୟମ ଦୃଷ୍ଟିରୁ ସେ ବି ନୂତନ କାର୍ଯ୍ୟାଦେଶ ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ସରକାରୀବାବୁ ମାନେ କହୁଛନ୍ତି । ସେ ଯାହାବି ହେଉ ଜମିବାଡି ଓ ପକ୍କାଘର ଥିଲାବାଲା ଲୋକଙ୍କୁ ଆବାସ ଯୋଜନା ଅର୍ଥ ଗୁଞ୍ଜେଇ ଦିଆଯାଉଥିବାବେଳେ ଭୂମିହୀନଙ୍କୁ କିନ୍ତୁ ଉପେକ୍ଷା କରାଯାଉଛି । ବିଦ୍ୟାଧରଙ୍କ ଏଭଳି ପରିସ୍ଥିତି ଉପରେ ବିଡିଓ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।


