ଭଞ୍ଜନଗରରେ ପ୍ରାରମ୍ଭ ପ୍ରଶିକ୍ଷଣ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି ପ୍ରାଥମିକ ସ୍ତରର ପ୍ରଥମରୁ ତୃତୀୟ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରଛାତ୍ରୀମାନେ I ସୂଚନା ଥାଉକି ସେମାନେ ବିଦ୍ୟାଳୟର ଦୁଆର ମାଡ଼ିନଥିବା ବେଳେ ଅନ୍ ଲାଇନ୍ ଶିକ୍ଷା ଦ୍ୱାରା ମଧ୍ୟ ବିଶେଷ ଉପକୃତ ହୋଇପାରିନାହାନ୍ତି I ତେଣୁ ଏହି ସ୍ତରର ଶିକ୍ଷାର୍ଥୀ ମାନଙ୍କୁ ନିଜ ଘର ପାଖରେ ଶିକ୍ଷା ଦେବାପାଇଁ ଭାରତୀୟ ଜ୍ଞାନ ବିଜ୍ଞାନ ସମିତି ଏବଂ ମୋ ସ୍କୁଲ୍ ର ମିଳିତ ଉଦ୍ୟମରେ ପ୍ରାରମ୍ଭ ନାମରେ ଏକ ଅଭିନବ ପ୍ରୟାସ କରାଯାଇଛି I ଏହି ଯୋଜନା ମାଧ୍ୟମରେ ଗ୍ରାମର ସ୍ଵେଚ୍ଛାସେବୀମାନେ ପିଲାଙ୍କୁ ଘର ପାଖରେ ପ୍ରାରମ୍ଭ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି I ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ୍ ର ସ୍ଵେଚ୍ଛାସେବୀଙ୍କ ପ୍ରଶିକ୍ଷଣ ପାଇଁ ଭଞ୍ଜନଗର ନିକଟସ୍ଥ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଏକଦିବସୀୟ ପ୍ରାରମ୍ଭ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଶିବିରରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ସ୍ଵାଇଁ ଯୋଗ ଦେଇ ସ୍ଵେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ I ଶିବିରରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିକୁଞ୍ଜ ନାୟକ ଏବଂ ଆଦିକନ୍ଦ ଗୌଡ଼ ସମ୍ବଳ ଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ବେଲଗୁଣ୍ଠା ବ୍ଳକ୍ ର ଦଶ ଜଣ ସ୍ଵେଚ୍ଛାସେବୀ ଏବଂ ଭଞ୍ଜନଗର ବ୍ଳକ୍ ର 19 ଜଣ ସ୍ଵେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଳା ସଂଯୋଜକ ଅନୀଲ୍ କୁମାର ବେହେରା ପରିଚାଳନା କରିଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ସଂଯୋଜିକା ଅନିତା ଜେନା ଏବଂ ଭଞ୍ଜନଗର ବ୍ଳକ୍ ସଂଯୋଜକ ଗୋପୀନାଥ ପରିଚାଳନାରେ ସହଯୋଗ କରିଥିଲେ I