ଭଞ୍ଜନଗର ଓମ୍ ଲଜ୍ ମାଲିକଙ୍କୁ ଆକ୍ରମଣ; ଲୁଟିନେଲେ ସୁନା ଚେଇନ, ମୁଦି ଓ ଟଙ୍କା
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟାବଡ଼ି ଗ୍ରାମ ନିକଟରେ କେତକ ବ୍ୟକ୍ତି ଭଞ୍ଜନଗରର ଓମ୍ ଲଜ୍ ମାଲିକ ଅମରେନ୍ଦ୍ର ପଟ୍ଟନାୟକଙ୍କୁ ଆକ୍ରମଣ କରି ତାଙ୍କଠାରୁ ଏକ ସୁନାଚେଇନ, ୩ ଟି ସୁନା ମୁଦି ଓ କିଛି ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛିଯେ ଶ୍ରୀ ପଟ୍ଟନାୟକ ନିଜ କାରରେ କୌଣସି କାମରେ ଭଞ୍ଜନଗରରୁ ବୁଗୁଡା ଆସୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ମୋଟାବାଡ଼ି ଗ୍ରାମ ନିକଟରେ କେତକ ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇ ମାଡ଼ ମାରିବା ସହ ତାଙ୍କର ଏକ ସୁନା ଚେଇନ, ୩ ଟି ସୁନା ମୁଦି ଓ କିଛି ଟଙ୍କା ଲୁଟିନେଲେଥିଲେ । ଖବର ପାଇ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଆହତ ଅମରେନ୍ଦ୍ରଙ୍କୁ ବୁଗୁଡା ମେଡ଼ିକାଲକୁ ଆଣିଥିଲେ । ସେ ଏତେ ଭୟଭୀତ ହୋଇଛନ୍ତି ଯେ କୌଣସି ଉତ୍ତର ଭଲଭାବେ ଦେବା ସମ୍ଭବ ହୋଇପାରିନାହିଁ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କେଶ ପଞ୍ଜିକୃତ ହୋଇନଥିଲେ ମଧ୍ୟ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି ।