ଭଡ଼ା ନ ଦେବାରୁ ୪ଟି ଦୋକାନ ସିଲ୍କଲା ଗୁଡ଼ାରିରେ ପୌର ପ୍ରଶାସନ ୬୦ ହଜାର ଟଙ୍କା ଆଦାୟ
ଗୁଣପୁର,(ୱାଇଏନଏସ): ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ସହରରେ ଅନେକ ଦୋକାନ ବ୍ୟବସାୟୀଙ୍କୁ ମାସିକ ଭଡା ସୂତ୍ରରେ ଦିଆଯାଇଛି। ସେଥି ମଧ୍ୟରୁ ୪ ଜଣ ଦୋକାନୀ ଦୀର୍ଘ ମାସର ଭଡ଼ା ଏନ୍ଏସିରେ ପୈଠ କରି ନ ଥିବାରୁ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଏଏସି କର୍ତ୍ତୃପକ୍ଷ ଦୋକାନ ସିଲ୍ କରିଛନ୍ତି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀଙ୍କ ସୂଚନା ଅନୁଯାୟୀ, ଅନ୍ୟ ଦୋକାନୀମାନେ ନିୟମିତ ଭଡା ପୈଠ କରୁଥିବା ବେଳେ ୪ ଜଣ ଦୋକାନୀ ଦୀର୍ଘ ମାସର ଭଡା କାର୍ଯ୍ୟାଳୟରେ ପୈଠ କରିନଥିଲେ। ଭଡା ପୈଠ ନିମନ୍ତେ କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ସେମାନଙ୍କୁ ଚିଠି କରାଯାଇଥିଲେ ମଧ୍ୟ ସେମାନେ ଭଡା ଦେଇନଥିଲେ। ମାଜିଷ୍ଟ୍ରେଟ ରୂପେ ତହସିଲଦାର ଏ. ସ୍ନେହଲତା, ଥାନା ସବ୍ ଇନ୍ସପେକ୍ଟର ସଞ୍ଜୟ ଛତ୍ର, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ପାଢ଼ୀ, କର୍ମଚାରୀ ଏବଂ ପୋଲିସ ଉପସ୍ଥିତିରେ ୪ଟି ଦୋକାନକୁ ସିଲ କରାଯାଇଛି। ଅପର ପକ୍ଷରେ ବକେୟା ଭଡା ଜଣେ ଜଣେ ୨୫ ହଜାର ଟଙ୍କା ବାକି ଥିବା ବେଳେ ଆଜି ତିନି ଜଣ ୬୦ ହଜାର ଟଙ୍କା ପଇଠ କରିବା ପରେ ସେମାନଙ୍କୁ ଦୋକାନ ଖୋଲିବାକୁ ନିର୍ବାହୀ ଅଧିକାରୀ ଶ୍ରୀ ପାଢ଼ୀ ଅନୁମତି ପ୍ରଦାନ କରିଛନ୍ତି।


