ଭତାରୁ ବଂଚିତ ବୃଦ୍ଧ, ବୃଦ୍ଧାଙ୍କ ବ୍ଲକ ସମ୍ମୁଖରେ ଧାରଣା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁ ର ବ୍ଲକ୍ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ପଂଚାୟତର ତେଲାପଲ୍ଲୀ ଗ୍ରାମର ବୃଦ୍ଧ ଓ ବୃଦ୍ଧା ଏବଂ ବିଧବା ମହିଳାମାନେ ଭତାରୁ ବଂଚିତ ରହିଥିବା ବେଳେ ଆଜି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଧାରଣାରେ ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବସିଥିଲେ । ଖବର ପାଇ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାସ ଘଟଣା ସ୍ଥଳରେ ପହଂଚି ଧାରଣାରେ ବସିଥିବା ଲୋକଙ୍କ ସମସ୍ୟା ଉପରେ ପଚାରି ବୁଝିଥିଲେ । ଯେଉଁମାନଙ୍କର ବିପିଏଲ୍ କାର୍ଡ଼ ଅଛି ସେମାନଙ୍କୁ ତୁରନ୍ତ ଭତା ପ୍ରଦାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେବା ସହ ବଳକା ହିତାଧିକାରୀମାନେ ଆବେଦନ କରି ବୟସ ଅନୁସାରେ ଅନ୍ ଲାଇନ ଦ୍ୱାରା ପ୍ରର୍ଯ୍ୟାୟ କ୍ରମେ ହିତାଧିକାରୀ ମାନଙ୍କୁ ଭତ୍ତା ମିଳିବ ବୋଲି ପ୍ରତିଶ୍ରୃତି ଦେଇଥିଲେ ।ଏହା ପରେ ଧାରଣାରେ ବସିଥିବା ବୃଦ୍ଧ ବୃଦ୍ଧା ଓ ବିଧବାମାନେ ଧାରଣାରୁ ଉଠିଥିଲେ । ସୂଚନା ଯୋଗ୍ୟ ଯେ ତେଲାପଲ୍ଲୀ ଗ୍ରାମର ଜୟମହାଲକ୍ଷ୍ମୀ ନାମକ ମହିଳା ତାଙ୍କ ସ୍ୱାମୀ ୨୦୦୧ ଠାରୁ ମୃତ୍ୟୁବରଣ କରିଥିଲେ ସୁଦ୍ଧା ତାଙ୍କୁ ବ୍ଲକ୍ ପକ୍ଷରୁ ଏହି ପର୍ଯ୍ୟନ୍ତ ବିଧବା ଭତା ମିଳିନାହିଁ । ଏହା ସହ ଗ୍ରାମର ବହୁ ବୟସ୍କ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତା ମିଳିନାହିଁ । ଏଣୁ ଏହାକୁ ତୁରନ୍ତ ପ୍ରଦାନ ନକଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ନେତା ଶ୍ରୀ କର କହିଥିଲେ । ଏନେଇ ବିପିଳିଙ୍ଗି ସରପଂଚ ଟି. ନରସିଂହ ରେଡ୍ଡିଙ୍କୁ ପଚାରିବାରୁ ସେ ଲୋକଙ୍କ ଫର୍ମ ଆବେଦନ କରାଯାଇଛି ପର୍ଯ୍ୟାୟକ୍ରମେ ମିଳିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।