ଭତ୍ତା ଅପେକ୍ଷା ରେ ୨୩୧୮ ଆବେଦନକାରୀ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ସରକାର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା ମହିଳା ମାନଙ୍କ ଲାଗି ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ରେ ଭତ୍ତା ପ୍ରଦାନ କରାଯାଉଛି। ମାତ୍ର ଶେରଗଡ ବ୍ଲକରେ ଏହି ଭତ୍ତା ଯୋଜନା ଫେଲ ମାରିଛି। ଶେରଗଡ ବ୍ଲକ ର ୨୨ ଟି ପଞ୍ଚାୟତ ର ୨୩୧୮ ରୁ ଉର୍ଦ୍ଧ୍ବ ହିତାଧିକାରୀ ଭତ୍ତା ଲାଗି ଦୀର୍ଘ ଦିନ ହେଲା ଆବେଦନ କରିଥିଲେ ମଧ୍ୟ ଏପର୍ୟ୍ୟନ୍ତ ସେମାନଙ୍କୁ ଭତ୍ତା ନମିଳିବାରୁ ସେମାନେ ଚାତକ ପରି ଚାହିଁ ବସିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ,୬୦ ବର୍ଷ ରୁ ବୃଦ୍ଧ ବୃଦ୍ଧା ଙ୍କ ସମେତ ୪୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଓ ବିଧବା ମହିଳା ଙ୍କୁ ଭତ୍ତା ପ୍ରଦାନ କରିବା ଲାଗି ମଧୁବାବୁ ପେନସନ ଯୋଜନା, ଈନ୍ଦିରା ଗାନ୍ଧୀ ପେନସନ ଯୋଜନା ଆଦି ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହି ଯୋଜନା ଦିଗହରା ହେବାରେ ଲାଗିଛି। ଏହାର କାରଣ ହେଲା,୬୦ ବର୍ଷ ଅତିକ୍ରମ କରିନଥିବା ବ୍ୟକ୍ତି ଚଞ୍ଚକତା କରି ବିଭାଗୀୟ ଅଧିକାରୀ ଙ୍କ ମାଧ୍ୟମରେ ଭତ୍ତା ପାଈବାକୁ ସକ୍ଷମ ହେଉଛନ୍ତି। ଯେଉଁଥିଲାଗି ଭତ୍ତା ପାଈବାକୁ ଯୋଗ୍ୟ ହେଉଥିବା ହିତାଧିକାରୀ ଭତ୍ତା ପାଈବାରୁ ବଞ୍ଚିତ ହେଉଛନ୍ତି। ବର୍ଷ ବର୍ଷ ଧରି ଭତ୍ତା ଲାଗି ଆବେଦନ କରିଥିବା ବ୍ୟକ୍ତି ଙ୍କୁ ଭତ୍ତା ମିଳିନଥିବା ବେଳେ ଆବେଦନ କରିଥିବା ବ୍ୟକ୍ତି ଙ୍କ ଦରଖାସ୍ତ କୁ ବିନା କାରଣ ରେ ରଦ୍ଦ କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ବୃଦ୍ଧ ବୃଦ୍ଧା ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଈଛି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଦାୟିତ୍ବ ରେ ଥିବା ଅଧିକାରୀ ପ୍ରକାଶ କରିଛନ୍ତି ଯେ,ସରକାରଙ୍କ ପକ୍ଷରୁ ଟାର୍ଗେଟ ଆସିଲେ ଆବେଦନ ପତ୍ର ଗୁଡିକ ଅନୁମୋଦନ କରାଯାଈ ଭତ୍ତା ପ୍ରଦାନ କରାଯିବ। ହେଲେ ଏହି ଆବେଦନକାରୀ ଙ୍କୁ ଭତ୍ତା କେବେ ମିଳିବ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟ ପକ୍ଷରେ ଶେରଗଡ ବ୍ଲକରେ କିଛି ବ୍ୟକ୍ତି ଙ୍କ ଭତ୍ତା ମଞ୍ଜୁର ହୋଈଥିଲେ ମଧ୍ୟ ସେମାନଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଉନାହିଁ କିମ୍ବା ସେଠାକାର ଜନସାଧାରଣ ଙ୍କୁ ଅବଗତ କରାନଯିବା ଯୋଗୁଁ ବିଭାଗୀୟ ଅଧିକାରୀ ଙ୍କ ମନୋମୁଖି କାର୍ୟ୍ୟ ଲାଗି ସାଧାରଣ ରେ ଅସନ୍ତୋଷ ଦେଖାଦେଉଛି। ଅକ୍ଟୋବର ଶେଷ ସୁଦ୍ଧା ବ୍ଲକରେ ୨୩୧୮ ରୁ ଉର୍ଦ୍ଧ୍ବ ହିତାଧିକାରୀ ଭତ୍ତା ପାଈବା ଲାଗି ଅପେକ୍ଷା ରେ ରହିଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ଜିଲ୍ଲାପାଳ, ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ଲାଗି ଦାବି ହେଉଛି।