ଭତ୍ତା କେଳେଙ୍କାରୀ : ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଅଧିକାଶଂ ପଞ୍ଚାୟତରେ ଭତ୍ତା କେଳେଙ୍କାରୀ ଦେଖିବାକୁ ମିଳିଛି । ପ୍ରଶାସନ ଜାଣିଶୁଣି ଏହାର ତଦନ୍ତ ନକରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ଗୁରୁତ୍ୱ ଦେଉ ନଥିବାରୁ ଏହି କେଳେଙ୍କାରୀ ବଢ଼ି ବଢ଼ି ଚାଲିଛି । ଗତ ତିନିମାସ ତଳେ କେ ବାଲିପାଳ ପଞ୍ଚାୟତରେ ଏହିପରି ଅନେକ ଲୋକଙ୍କ ଭତ୍ତା ଟଙ୍କା ହଡପ ହେଉଥିବା ନେଇ ବ୍ଲକ କର୍ତ୍ତୁପକ୍ଷ ଜାଣିବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ । ତା ପୁର୍ବରୁ ମଧ୍ୟ ଡଅଁର ପଞ୍ଚାୟତରେ ଅନେକ ହିତାଧିକାରୀଙ୍କ ଭତ୍ତା ଯଙ୍କା ହଡପ ହେଉଥିବା ଜାଣିବାପରେ ଏହାକୁ ଚପାଇ ଦିଆଯାଇଥିଲା । ବ୍ଲକର କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଏହି ଘଟଣାକୁ ଅଫିସ ଭିତରେ ଚାପି ଦେଇଥିଲେ । ଏହି କର୍ମଚାରୀ ମାନଙ୍କ ଏôତରେ କଣ ସଂପୃକ୍ତି ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଦରକାର । ଏବେ ନୁତନ ସରପଞ୍ଚ ମାନେ ଦାୟିତ୍ୱ ନେବାପରେ ଭତ୍ତା ବଣ୍ଟନକୁ ପ୍ରାଥମିକତା ଦେଇଥିବାରୁ ଅନେକ ଘୋଟାଲା ପଦାକୁ ଆସିଛି । ହଦଗଡ ପଞ୍ଚାୟତରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ବ୍ଲକରୁ ମିଳିଥିବା ତାଲିକାରେ ଥିବାବେଳେ ବାସ୍ତବ କ୍ଷେତ୍ରରେ ସେମାନଙ୍କୁ ଭତ୍ତା ଦିଆଯାଉ ନଥିଲା । ଏପରିକି ଅନେକ ଅଯୋଗ୍ୟ ବ୍ୟକ୍ତି ଭତ୍ତା ପାଉଥିବାବେଳେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଉଥିବା ଜଣାପଡିଥିଲା । ଯଦିଓ ହଦଗଡର ପିଇଓ ଏହାକୁ ଅସ୍ୱୀକାର କରୁଛନ୍ତି କିନ୍ତୁ ସରପଞ୍ଚସଂପୃକ୍ତ ଭତ୍ତା କାର୍ଡ ଗୁଡିକୁ ଜବଦ କରି ରଖିଥିବା କହୁଛନ୍ତି । ଖାଲି ହଦଗଡ ନୁହଁ ପଢ଼ିଆରିପଲ୍ଲୀ, କଳିଗାଁ, ଡଅଁର, ଜମ୍ଭୀରା, ସମଣା ଆଦି ପଞ୍ଚାୟତରେ ଏପରି ଘୋଟାଲା ମାନ ହୋଇଥିବା ଅଭିଯୋଗ ହୋଇଛି । ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର ଗ୍ରାମର ଅନେକ ମୃତବ୍ୟକ୍ତିଙ୍କ ନାମରେ ଦୀର୍ଘବର୍ଷ ହେଲା ଭତ୍ତା ଉଠୁଥିବା ଜାଣିବାକୁ ମିଳିଛି । ଏବେ ଗତ ଦୁଇଦିନ ତଳେ ହଦଗଡ ପଞ୍ଚାୟତରେ ଭତ୍ତା କେଳେଙ୍କାରୀ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବିଡିଓ ବିନୀତା ବିଜୟିନୀ ତାଙ୍କ ଚିଠିନଂ୧୧୮୭ ତା-୨/୪/୨୦୨୨ରେ ସମସ୍ତ ସରପଞ୍ଚ ଓ ପିଇଓ ମାନଙ୍କୁ ଚିଠିକରି ସମସ୍ତ ପେନସନଧାରୀଙ୍କ ବ୍ୟାଙ୍କ ପାସବହି ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁର୍ବରୁ ୩୧/୩/୨୦୨୨ ସୁଧା ଏହି ପ୍ରକ୍ରୀୟା ସାରିବାକୁ ପୁର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କୌଣସି ପିଇଓ ଏବଂ ସରପଞ୍ଚ ମାନେ ଏହାକୁ ଗୁରୁତ୍ୱ ଦେଇ ନଥିଲେ । କିନ୍ତୁ ଅନେକ ସରକାରୀ କର୍ମଚାରୀ ଏହି ପ୍ରଶାସନର ଏହି ନିର୍ଦ୍ଦେଶକୁ ଖାତିର ମଧ୍ୟ କରୁ ନାହାନ୍ତି । ଯାହାଦ୍ୱାରାକି ଏପରି ଅନିୟମିତତା ସମ୍ଭବ ହୋଇ ପାରୁଛିବୋଲି ଆଲୋଚନା ହେଉଛି । କିନ୍ତୁ ବ୍ୟାଙ୍କ ଏକାଉଣ୍ଟକୁ ଭତ୍ତା ଟଙ୍କା ଟ୍ରାନସଫର କରାଗଲେ ବହୁ ବୃଦ୍ଧ ବୃଦ୍ଧା ଭତ୍ତା ପାଇବାରେ ନାନା ଅସୁବିଧା ଭୋଗ କରିବେ, ବ୍ୟାଙ୍କରେ ହେଉଥିବା ଗହଳି ଓ ବୃଦ୍ଧ, ବୃଦ୍ଧାମାନେ ପରିଣତ ବୟସରେ ୮/୧୦ କିଳୋମିଟର ଦୁର ଯାଇ ଭତ୍ତା ଆଣି ପାରିବେ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହଡପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ହିତାଧିକାରୀଙ୍କୁ ହରଡ ଘଣାରେ ପକାଇବ ବୋଲି ଆଲୋଚନା ହେଉଛି । ହାଟଡିହି ବ୍ଳକର ବିଡିଓ ଏସବୁକୁ ଦୃଷ୍ଟିରେ ରଖି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ହାଟଡିହି ବ୍ଲକରେ ହୋଇଥିବା ଭତ୍ତା କେଳଙ୍କାରୀର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।