ଭତ୍ତା ଟଙ୍କା ଆତ୍ମସାତ୍ ଅଭିଯୋଗ ଆଣିଲେ ବ୍ଲକ୍ ଉପାଧ୍ୟକ୍ଷା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତରେ ହିତାଧିକାରୀଙ୍କ ଭତ୍ତା ଟଙ୍କାକୁ ସରପଞ୍ଚ ଏବଂ ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଳିମିଶି ଚଳୁ କରିଦେଇଛନ୍ତି । ଖୋଦ୍ ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷା ସସ୍ମିତା ମଲ୍ଲିକ ଏହି ସଂଗିନ୍ ଅଭିଯୋଗ ଆଣିବା ପରେ ହଟଚମଟ ସୃଷ୍ଟି ହୋଇଛି । ଆଉ ହିତାଧିକାରୀ ମାନେ କୁଏରମାଣ୍ଡୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ ଏବଂ ଏହି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ସେହିପରି ବ୍ଲକ୍ ଉପାଧ୍ୟକ୍ଷା ଘଟଣା ସଂପର୍କରେ ବିଡିଓଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।ପ୍ରକାଶ ଯେ, କୁଏରମାଣ୍ଡୁ ପଞ୍ଚାୟତରେ ପୂର୍ବରୁ ତିରୁପତି ମଲ୍ଲିକ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଉଥିଲେ। ୫ ମାସ ଧରି ୨୦ ଜଣ ହିତାଧିକାରୀଙ୍କ ଭତ୍ତା ସେ ଟଙ୍କାକୁ ହଡ଼ପ କରିଥିବା ବେଳେ ସରପଞ୍ଚ ବି ଏଥିରେ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ଅଛନ୍ତି । ଫିରିଙ୍ଗିଆ ବିଡ଼ିଓ ରଶ୍ମିରଞ୍ଜନ ମହାନ୍ତଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଅଭିଯୋଗ ସଂପର୍କରେ ପ୍ରାକ୍ତନ ପିଇଓ ଶ୍ରୀ ମଲ୍ଲିକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ଭତ୍ତା ଟଙ୍କା ବଣ୍ଟନ ଦାୟିତ୍ବ ସରପଞ୍ଚଙ୍କୁ ଦିଆଯାଇଥିଲା । ତେବେ ଭତ୍ତା ବଣ୍ଟାଯାଇଛି କି ନାହିଁ, ତାହା କେବଳ ସରପଞ୍ଚଙ୍କୁ ଜଣା। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ । ଅନ୍ୟପକ୍ଷରେ କୁଏରମାଣ୍ଡୁ ପଞ୍ଚାୟତରେ ନୂତନ ଭାବେ ଯୋଗ ଦେଇଥିବା ପିଇଓ ଅଶୋକ କୁମାର ପ୍ରଧାନ ଅଭିଯୋଗ ବିଷୟରେ କିଛି ଜାଣି ନଥିବା କହିଛନ୍ତି ।


