ଭଦ୍ରକ ଗ୍ରାମାଂଚଳ ସାମ୍ବାଦିକଙ୍କ ପାଇଁ ପିଆଇବିର ଆଂଚଳିକ କର୍ମଶାଳା

ଭଦ୍ରକ :  ଡିଆରଡିଏ ସମ୍ମେଳନ କକ୍ଷଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଛି । ଡିଆରଡିଏ ଭଦ୍ରକର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଓ ବରିଷ୍ଠ ସାମ୍ବାଦିକ ଅମର ନାୟକ ଯୋଗ ଦେଇ କର୍ମଶାଳାରେ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶୈଳଶ କୁମାର ମାଲବ୍ୟ ସଭାପତିତ୍ୱ କରିଥିଲେ । ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମାଲବ୍ୟ ମତ ରଖିଥିଲେ । ସେ କହିଥିଲେ ଯେ, ଗ୍ରାମାଂଚଳରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବାରେ ଉଲ୍ଲେଖନୀୟ ଅବଦାନ ଦେଇଥାନ୍ତି । ବିଭିନ୍ନ ଯୋଜନାର ସୁଫଳ କିପରି ଲୋକ ପାଇବେ ସେ ସମ୍ପର୍କରେ ସେମାନଙ୍କର ଲେଖା ଓ ରିପୋର୍ଟ ଯଥେଷ୍ଟ ସହାୟକ ହୋଇଥାଏ । ଏପରିକି କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ରହିଥିବା ତ୍ରୁଟି ବିଚ୍ୟୁତିକୁ ମଧ୍ୟ ସେମାନେ ଲୋକଲୋଚନକୁ ଆଣି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି । ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରାମୀଣ ସାମ୍ବାଦିକମାନେ ସମୃଦ୍ଧ କରିଥାନ୍ତି ବୋଲି ଅତିରିକ୍ତ ମହାନିର୍ଦ୍ଦେଶକ ମାଲବ୍ୟ କହିଥିଲେ । କର୍ମଶାଳାରେ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା କୃଷି ବିଭାଗ ଅଧିକାରୀ ଅରୁଣ କୁମାର ପାତ୍ର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ନିମଯୁକ୍ତ ୟୁରିଆ ଯୋଗାଣ ଓ ମୃତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଭଦ୍ରକ ମୁଖ୍ୟ ପୋଷ୍ଟମାଷ୍ଟର ମୃତ୍ୟୁଞ୍ଜୟ ହୋତା ସୁକନ୍ୟା ସମୃଦ୍ଧି ଯୋଜନା ଓ ଭାରତୀୟ ପୋଷ୍ଟ ପେମେଂଟ ବ୍ୟାଙ୍କ, ଜିଲ୍ଲା ଗ୍ରାମ୍ୟ ଓ ପରିମଳ ବିଭାଗର ଅଧିକାରୀ ସ୍ୱଚ୍ଛ ଭାରତ ଅଭିଯାନ, ଜିଲ୍ଲା ଏଲଡିଏମ କାର୍ଯ୍ୟାଳୟର ଅଧିକାରୀ ଗୌତମ ସିଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା ଓ ମୁଦ୍ରା ଯୋଜନା, ନେସ୍କୋର ଏସଡିଓ ସୌଭାଗ୍ୟ ଯୋଜନା ଓ ଉଜାଲା ଯୋଜନା, ନିତେଶ ଚୌରାସିଆ ଉଜ୍ଜ୍ୱଳା ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାକୁ ପରିଚାଳନା କରିଥିଲେ । ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଓ ବାର୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଦିନିକିଆ କର୍ମଶାଳାରେ ଭଦ୍ରକର ୭୦ରୁ ଊଦ୍ଧ୍ୱର୍ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ ନିଜ ମତାମତ ରଖିଥିଲେ । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟ ହୋଇଥିଲା । ପରିଶେଷରେ ସୂଚନା ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତିପ୍ରସାଦ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ବାର୍ତାଳାପ ଏବଂ ଯୋଜନା ସମ୍ପର୍କିତ ମତାମତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ