ଭଦ୍ରକ-ଭୁବନେଶ୍ୱର ମେମୋ ଟ୍ରେନ ବାଲେଶ୍ୱରକୁ ହେଲା ସମ୍ପ୍ରସାରିତ

ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଥମେ ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଜିଲାବାସୀଙ୍କ ସହଯୋଗୀ ମନୋଭାବ ତଥା ଫକୀର ମୋହନ ସେନାପତିଙ୍କର ଏହି ଜନ୍ମମାଟିର ଆବେଗ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ କି ଜିଲାବାସୀଙ୍କ ସ୍ନେହ ଶ୍ରଦ୍ଧାରେ ମୁଁ ଋଣି ହୋଇ ଯାଇଥିଲି । ଏବେ ମୋ ପାଇଁ ଋଣ ସୁଝିବାର ବେଳ ଆସିଛି । ସମସ୍ତଙ୍କ ଆଶୀର୍ବାଦରୁ ମୁଁ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ମନ୍ତ୍ରୀ ହୋଇପାରିଛନ୍ତି । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଖୋଲି ଦେଇଛନ୍ତି । ପୂର୍ବରୁ ରେଳ ବଜେଟରେ ଓଡ଼ିଶାକୁ ବର୍ଷରେ ସର୍ବାଧିକ ୭ ଶହ କୋଟି ପର୍ଯ୍ୟନ୍ତ ମିଳୁଥିବା ବେଳେ ଏବେ ତାହା ୭ହଜାର କୋଟିରେ ପହଞ୍ଚିଛି । ବିକାଶ ପାଇଁ ପାଣ୍ଠିର ଅଭାବ ନାହିଁ ବରଂ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି । ପୂର୍ବଦୋୟରୁ ଅର୍ଥାତ ଓଡ଼ିଶାରୁ ବିକାଶର ଧାରା ଆରମ୍ଭ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ । କେନ୍ଦ୍ର ଜଳଶକ୍ତି ଓ ଜନଜାତି ଉନ୍ନୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ପ୍ର୍‍ତି ଥିବା ବହୁବିଧ ସହଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ରେଳ କ୍ଷେତ୍ରରେ ଜିଲ୍ଲାର ବିକାଶକୁ ନିଶ୍ଚିତ ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ଆଶା ପ୍ରକାଶ କରିଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଳମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ନୀଳଗିରିକୁ ଆଜି ଯାତ୍ରୀବାହୀ ରେଳ ଚଳାଚଳ ସମ୍ଭବ ହେବାକୁ ଯାଉଛି ବୋଲି କହିଥିଲେ । ଆଗାମୀ ଦିନରେ ବି ଏହି ଧାରା ବଜାୟ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚାଲିବା ଓ ବାଲେଶ୍ୱରରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ଜିଲା ବିକାଶରେ ନୂଆଫର୍ଦ୍ଧ ଯୋଡ଼ିଲା ବୋଲି ମତ ଦେଇଥିଲେ । ଏହା ବ୍ୟତୀତ ବାଲେଶ୍ୱରରୁ ମୁମ୍ବାଇକୁ ଟ୍ରେନ ଚଳାଚଳ, ବାଙ୍ଗିରପୋଷି-ରୂପସା ଟ୍ରେନ ବାଲେଶ୍ୱରକୁ ସଂପ୍ରସାରଣ, ମାଲଗୋଦାମ ସ୍ଥାନାନ୍ତରଣ, ବାଲେଶ୍ୱର ଷ୍ଟେସନକୁ ବ୍ୟାସକବିଙ୍କ ନାମରେ ନାମିତ କରିବା, ନିଧିପଣ୍ଡା ପୋଲ ତଳ ରାସ୍ତା ଉପରେ ଏକ ଉଡ଼ନ୍ତା ପୋଲ ନିର୍ମାଣ ପ୍ରଭୃତି ପ୍ରକଳ୍ପ ଅନୁମୋଦନ ପାଇଁ ରେଳମନ୍ତ୍ରୀଙ୍କଠାରେ ବିଧାୟକ ଶ୍ରୀ ଦାସ ଦାବି ଉଠାଇଥିଲେ । ଖଡ଼ଗପୁର ରେଳ ଡିଭିଜନ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଏହି ସଭାରେ ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରବନ୍ଧକ ମନୋରଞ୍ଜନ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କଷ୍ଟମର ସୁପରଭାଇଜର ସୁମିତା ସାହୁ ଓ ଚୈତାଳି ବାନାର୍ଜୀ ଏହି ସଭାରେ ସଂଯୋଜନା କରିଥିଲେ । ରେଳ ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସଭାପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ପତାକା ଦେଖାଇ ଭଦ୍ରକ-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନକୁ ବାଲେଶ୍ୱର ଷ୍ଟେସନରୁ ଯାତ୍ରା ଶୁଭାରମ୍ଭ କରିଥିଲେ । ପରେ ନୀଳଗିରି ଷ୍ଟେସନର ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାତ୍ରା କରିଥିଲେ । ନୀଳଗିରିରୁ ରେମୁଣାର କ୍ଷୀରଚୋରା ଗୋପୀନାଥ ଦର୍ଶନ ସହ ରେଳମନ୍ତ୍ରୀ ବସ୍ତା ଷ୍ଟେସନ ଓ ପରେ ଜଳେଶ୍ୱର ଷ୍ଟେସନର ସଭାରେ ଯୋଗଦେଇ ଦିଲ୍ଲୀ ଫେରିଯିବେ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ