ଭଦ୍ରକ ମାଟିର ଲଢୁଆ ପୁଅ ଅର୍ଜ୍ଜୁନ ଚରଣ ସେଠୀ ଆଉ ନାହାନ୍ତି

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ମାଟିର ଲଢୁଆ ପୁଅ ଅର୍ଜ୍ଜୁନ ଚରଣ ସେଠୀ ଆଉ ନାହାନ୍ତି । ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ସମଗ୍ର ବନ୍ତ ବ୍ଲକବାସୀ ସ୍ତବ୍ଧ ହୋଇଯାଇଛନ୍ତି । ସୋସିଆଲ ମିଡିଆ ଓ ନ୍ୟୁଜ୍ ଚାନେଲରେ ଖବର ପ୍ରସାରିତ ହେବା ପରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ହା ହା କାର ପଡି ଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ୮ ଥର ସାଂସଦ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଥିବା ଅର୍ଜ୍ଜୁନଙ୍କ ଦେହାନ୍ତ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ଭଦ୍ରକ ରାଜନୀତିରେ ସେ ଥିଲେ ପିତାମହ ଭୀଷ୍ମ । ଭଦ୍ରକର ବିକାଶ କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କେନ୍ଦ୍ରରେ ବାଜପେୟୀ ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ଥିଲେ । ଗତ ୨୦୧୯ ନିର୍ବାଚନରେ ସେ ବିଜେଡି ଛାଡି ବିଜେପିରେ ତାଙ୍କ ପୁଅ ଅଭିମନ୍ୟୁଙ୍କ ସହ ଯୋଗଦାନ କରିଥିଲେ । ସେ ୧୯୭୧ ଲୋକସଭା ନିର୍ବାଚନରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୮୦ ମସିହାରେ ୭ମ ଲୋକସଭା ନିର୍ବାଚନରେ ୨ୟ ଥର, ୧୯୯୧ ମସିହାରେ ୧୦ମ ଲୋକସଭା ନିର୍ବାଚନରେ ୩ୟ ଥର, ୧୯୯୮ ମସିହାରେ ୧୨ତମ ଲୋକସଭା ନିର୍ବାଚନରେ ୪ର୍ଥ ଥର, ୧୯୯୯ ମସିହାରେ ୧୩ତମ ଲୋକସଭା ନିର୍ବାଚନରେ ୫ମ ଥର, ୨୦୦୪ ମସିହାରେ ୧୪ଦଶ ଲୋକସଭା ନିର୍ବାଚନରେ ୬ଷ୍ଠ ଥର, ୨୦୦୯ ମସିହାରେ ୧୫ତମ ଲୋକସଭା ନିର୍ବାଚନରେ ୭ମ ଥର, ୨୦୦୪ ମସିହାରେ ୧୬ତମ ଲୋକସଭା ନିର୍ବାଚନରେ ୮ମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଥିସହିତ ସେ ଓଡିଶା ବିଧାନସଭାରେ ୧୯୯୦-୯୧ ଏବଂ ୧୯୯୫-୯୮ ଦୁଇ ଥର ନିର୍ବାଚିତ ହୋଇଥିଲେ । ଏହା ବ୍ୟତୀତ ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହିତ ୧୯୯୯-୨୦୦୦ ସାଂସଦୀୟ ଦଳର ନେତା ଏବଂ ୨୦୦୫ ମସିହାରେ ଭଦ୍ରକ ଜିଲା ବିଜୁ ଜନତା ଦଳର ସଭାପତି ଭାବେ ଦାୟୀତ୍ୱ ତୁଲାଇଥିଲେ । ତାଙ୍କ ମୃତ୍ୟୁରେ ଭଦ୍ରକ ଜିଲାର ଅପୁରଣୀୟ କ୍ଷତି ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ