ଭରଣ ପିଛା ୫ ହଜାର ଟଙ୍କା କ୍ଷତିପୁରଣ ସହାୟତା ପ୍ରଦାନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଦାବି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଲଘୁଚାପ ଜନିତ ଲଗାଣ ବର୍ଷା ଖରିଫ ଧାନ ଫସଲ ଉଜାଡି ଦେଇଛି । ଖରିଫ ଋତୁର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଷୀ ତାର ଫସଲକୁ ସୁରକ୍ଷା ଦେଇ ଆସିଥିବା ବେଳେ ଧାନଅମଳ ବେଳକୁ ଲଘୁଚାପଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ଓଡିଶାକୁ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲା । ଚାଷୀ ବହୁକଷ୍ଟରେ ଖରିଫ୍ ଧାନ ଅମଳ କରିଥିଲା । ଚଳିତ ବର୍ଷ ଧାନ ଫସଲ ବେଶ ଭଲ ହୋଇଛି । କ୍ଷେତରେ ସୁନେଲି ରଙ୍ଗର ଧାନକେଣ୍ଡାକୁ ଦେଖି ଚାଷୀର ମନ କୁଣ୍ଢେମୋଟ ହୋଇ ଯାଇଥିଲା । ହେଲେ ଅମଳ ବେଳକୁ ସତେଯେମିତି ଦଇବ ଦାଉ ସାଧିଛି । ଡିସେମ୍ବର ମାସରେ ଚାଷୀ ଧାନ ଅମଳ କରିବାକୁ ପ୍ରସ୍ତୁତି ହେଉଥିବା ବେଳେ ଲଘୁଚାପ ପ୍ରଭାବରେ ଡିସେମ୍ବର ମାସ ପ୍ରଥମରୁ ହିଁ ବର୍ଷା ଦାଉ ସାଧିଥିଲା । କଷ୍ଟମଷ୍ଟେ ଚାଷୀ ତାର ଅମଳ ଧାନକୁ ସାଇତି ରଖିବାରେ ଉଦ୍ୟମ କରି ସଫଳ ହୋଇଥିଲା । କିଛି ଚାଷୀ କ୍ଷେତରୁ ଧାନକାଟି ଖଳାରେ ଗଦା କରିଥିବା ବେଳେ କିଛି ଚାଷୀ ଧାନକୁ କାଟି କ୍ଷେତ୍ରରେ ହିଁ ଗଦା କରିଥିଲେ । ଏଭଳି ସମୟରେ ଡିସେମ୍ବର ତୃତୀୟ ସପ୍ତାହରେ ଅଦିନିଆ ଲଘୁଚାପ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷୀ ତାର ଅମଳ ଧାନକୁ ହରାଇବା ଆଶଙ୍କା ରହିଥିଲା । ବର୍ଷା ବନ୍ଦ ପରେ ଅମଳ ଧାନରେ ବର୍ଷା ପାଣି ରହିଥିବାରୁ ଚାଷଜମିରୁ ଧାନକୁ ବାହାର କରି ଶୁଖାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଣିଥରେ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ବର୍ଷା ଲାଗି ରହିଥିଲା । ଫଳରେ ଚାଷଜମିରେ ପଡିଥିବା ଧାନ ଗଜା ହୋଇପଡିଛି । ଏଭଳି ପରିସ୍ଥିତିରେ ଚାଷୀ ତାର ବର୍ଷକର ଭାତହାଣ୍ଡିକୁ ହରାଇ ବସିଛି । ବର୍ଷତମାମ କିଭଳି ପରିବାର ପ୍ରତିପୋଷଣ କରିବ ସେ, ନେଇ ଚିନ୍ତାରେ ପଡିଛି ଚାଷୀ । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ଥିବା ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡା, ଖଣ୍ଠରା, ଚାନ୍ଦୁଲି, ସିକିରି, ରାଳବ, ଶାସନଆମ୍ବଗାଁ, ଖରିଡା, ଆଲପୁର ଅଞ୍ଚଳରେ ଅମଳ ପନିପରିବା ଫସଲ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯାଇଛି । ହିଞ୍ଜିଳିକାଟୁ ଅଞ୍ଚଳରେ ଡିସେମ୍ବର ପହିଲାରେ ୪ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ତୃତୀୟ ସପ୍ତାହରେ ୬୫ମିମି ଓ ୨୪ ଓ ୨୫ ତାରିଖ ୨ ଦିନରେ ୨୭ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ହେକ୍ଟର ହେକ୍ଟର ଖରିଫ ଧାନଫସଲ ବର୍ଷା ଜଳରେ ପଚିସଢି ଗଜା ହେବା ସହ ନଷ୍ଟ ହେବାରେ ଲାଗିଛି । ଲଗାଣ ବର୍ଷା ଚାଷୀଙ୍କୁ ଦାରୁଣ ଦୁଃଖ ଦେବା ସହ ଚାଷୀର ଆର୍ଥୀକ ମେରୁଦଣ୍ଡ ଦୋହଲାଇ ଦେଇଛି । ବର୍ଷା ଜଳ ଭିଜା ଜମିର ପାଣି ଭିତରୁ କଳେଇ ଟେକିଲେ ଚାଷୀଙ୍କ ୂଆଖିରୁ ଲୁହ ଝରୁଛି । ଚଳିତ ଖରିଫ ଋତୁରେ ହିଞ୍ଜିଳିକାଟୁ ବ୍ଳକର ୯୭୦୩ ହେକ୍ଟର ଜମିରେ ଧାନଚାଷ କରାଯାଇଥିବା ବେଳେ କେତେ ପରିମାଣ ଜମିର ଧାନଚାଷ ନଷ୍ଟ ହୋଇଛି ଏଯାବତ୍ ସଠିକ୍ ଆକଳନ କରାଯାଇନାହିଁ । ଏ ନେଇ ସ୍ଥାନୀୟ ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି, କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ସର୍ଭେ କାର୍ଯ୍ୟ ଚାଲୁରହିଛି । ସର୍ଭେ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ସଠିକ୍ ତଥ୍ୟ ଜଣାପଡିବ । କ୍ଷତିଗ୍ରସ୍ତ ଧାନ ଓ ପନିପରିବା ଚାଷୀଙ୍କୁ ୧ଭରଣ ଜମି ପିଛା ୫ ହଜାର ଟଙ୍କା ଲେଖାଏଁ କ୍ଷତିପୁରଣ ସହାୟତା ରାଶି ପ୍ରଦାନ କରିବାକୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଦାବି କରିଛନ୍ତି ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ