ଭରତପୁର ପଂଚାୟତରେ ୭୪ତମ ସ୍ୱାଧୀନତା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ କରୋନା ଯୋଦ୍ଧା ଅଙ୍ଗନୱାଡିକର୍ମୀ, ଆଶାଦିଦି, ଶିକ୍ଷକ, ସମାଜସେବୀ,ମହିଳା ମହାମଣ୍ଡଳର ସଭାନେତ୍ରୀ ଓ ସମ୍ପାଦିକା ଏବଂ ୱାର୍ଡସଭ୍ୟସଭ୍ୟାମାନଙ୍କୁ ପଂଚାୟତ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପଂଚାୟତର ଗୋପାଳ ଚରଣ ଦାସ, ଅମିତା ଦାସ ଓ ନିରୁପମା ମହାନ୍ତି ପ୍ରଭୃତି ୩ଜଣ ସ୍ୱେଛାକୃତ ଭାବେ ନିଜ ନିଜର ଶରୀରଦାନ ପାଇଁ ସତ୍ୟପାଠ କରିଥିଲେ । ସେମାନଙ୍କର ଏଭଳି ଜନମଙ୍ଗଳ କାର୍ଯ୍ୟ ନିମନ୍ତେ ପଂଚାୟତ ପକ୍ଷରୁ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ପ୍ରଶୀକ୍ଷାର୍ଥି ସହକାରୀ ଜିଲ୍ଲାପାଳ ଭାବେ କେନ୍ଦ୍ରାପଡାରେ ଅବସ୍ଥାପିତ ଭାରତୀୟ ପ୍ରଶାସନିକ ଅଧିକାରୀ ଅକ୍ଷୟ ଅଗ୍ରୱାଲ ସେମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ ।


