ଭଲିବଲ୍ ଟୁର୍ନାମେଣ୍ଟ ଉଦ୍ଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଏନ୍ଏସି ଅନ୍ତର୍ଗତ କପିଳ ହରିଜନ ସାହି ଠାରେ ମା’ଶ୍ୟାମାକାଳୀ ହ୍ୟାଣ୍ଡ ବଲ୍ ସଂଘ ପକ୍ଷରୁ ଅନୁଷ୍ଠିତ ସୂର୍ଯ୍ୟ ନାୟକ ସ୍ମାରକୀ ଭଲିବଲ୍ ଟୁର୍ନାମେଣ୍ଟ ଆଜି ଉଦ୍ଯାପିତ ହୋଇଛି । ବେଗୁନିଆପଡାର ମା’ମଙ୍ଗଳା ଦଳ ବିଜେତା ହୋଇଥିବା ବେଳେ ଛତ୍ରପୁର ବ୍ଲକ ବାସନାପଲ୍ଲୀ ଗ୍ରାମ ଦଳ ଉପବିଜେତା ହୋଇଛି । ବେଗୁନିଆପଡା ମା’ମଙ୍ଗଳା ଦଳକୁ ଟ୍ରଫି ସହ ୬ ହଜାର ଟଙ୍କା ଏବଂ ବାସନାପଲ୍ଲୀ ଗ୍ରାମ ଦଳକୁ ଟ୍ରଫି ସହ ୪ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ନେଟର୍ ଭାବେ ବେଗୁନିଆପଡା ମା’ମଙ୍ଗଳା ଦଳର ବାଦଲ, ଶ୍ରେଷ୍ଠ ହିଟର୍ ଭାବେ କାହ୍ନା ଓ ଶ୍ରେଷ୍ଠ ଖେଳାଳି ଭାବେ ବାସନାପଲ୍ଲୀ ଗ୍ରାମ ଦଳର ସନ୍ତୋଷ ଏବଂ ଶ୍ରେଷ୍ଠ ରେଫରୀ ଭାବେ ଗୋବିନ୍ଦକୁ ପୁରସ୍କୃତ କରାଯାଇଥିଲା । ଏହି ଟୁର୍ନାମେଣ୍ଟ ଗତ ୨୬ ତାରିଖଠୁ ଆରମ୍ଭ ହୋଇଥିବା ବେଳେ ଆଜି ଉଦ୍ଯାପିତ ହୋଇଥିଲା । ଆଜି ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସମିତିସଭ୍ୟ ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ, ଛତ୍ରପୁର ବିଜେପି ନଗର ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ, ସିପିଆଇ ନେତା ତଥା ଆଇନଜୀବୀ ଡି.ଆଦି ନାରାୟଣ ରେଡ୍ଡୀ, ବରିଷ୍ଠ କଂଗ୍ରେସ ନେତା କାଳିଆ ରାଉଳ ପ୍ରମୁଖ ଯୋଗଦେଇଥିଲେ । ମା’ଶ୍ୟାମାକାଳୀ ହ୍ୟାଣ୍ଡ ବଲ୍ ସଂଘର ଲାଲା, ଦିପୁ, ସିମା, ରଞ୍ଜନ ପ୍ରମୁଖ ଟୁର୍ନାମେଣ୍ଟକୁ ପରିଚାଳନା କରିଥିଲେ ।


