ଭଲ ମଣିଷ ହେବାକୁ ବିଦ୍ୟାର୍ଥୀଙ୍କୁ ପରାମର୍ଶ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଉତ୍ସବରେ ମୁଖ୍ୟଅତିଥି ରୂପେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ ଯୋଗଦେଇ ଭଲ ପାଠ ପଢ, ଭଲ ମଣିଷ ହୁଅ ଓ ଜନ୍ମମାଟିର ଟେକ ରଖିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ କହିଥିଲେ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକଙ୍କ ଅବଦାନ ରହିଲେ ହିଁ ବିଦ୍ୟାଳୟ ଏକ ସାର୍ଥକ ମଣିଷ ଗଢା କାରଖାନାଟିଏ ହୋଇପାରିବ । ଚିନ୍ମୟୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସନ୍ତୋଷୀ ଜୈନ ଯୋଗଦେଇ ବିଦ୍ୟାର୍ଥୀଙ୍କ ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବକୁ ‘ବୁଲସ୍‌ଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.କେ.ପିଙ୍କି, ବି.କେ.ସବିତା, ସାମାଜିକ କର୍ମୀ ରୁବି ଚୋବେ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁବାସ ଓଝା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ଉପସ୍ଥିତ ଅତିଥି ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ଉତ୍ସବକୁ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ