ଭଲ ରାସ୍ତାକୁ ତାଡିଦେଇ ଠିକାଦାର ଚୁପ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଞ୍ଚଳରେ ଆର.ଡି ବିଭାଗର ଖାମଖିଆଲି ନୀତି ଯୋଗୁଁ ଅନେକ ଭଲ ରାସ୍ତା ଗୁଡିକ ଏବେ ଖରାପ ହୋଇଯାଇଛି । ଭଲ ରାସ୍ତା ଗୁଡିକ ପୁନ ନିର୍ମାଣ ନାମରେ ଠିକାଦାରୀ ଖୋଳିଦେଇ ପକାଇ ଦେଇଥିବା ବେଳେ ରାସ୍ତା କଡରେ ମାଟି ପକାଇ ଦେଇଥିବାରୁ ରାସ୍ତା ଗୁଡିକ ଖାଲଖମାରେ ପରିପୁର୍ଣ୍ଣ ହୋଇ ଯାତାୟତ ଅନୁପଯୋଗୀ ହୋଇ ପଡିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିଦ୍ୟାଧରପୁର ମହୁଲପଙ୍ଖା ରାସ୍ତାରେ । ଏହି ରାସ୍ତାଟି ସମ୍ପୁର୍ଣ୍ଣ ଭଲ ଥିବାବେଳେ ଗତବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଇଥିଲା । କିନ୍ତୁ ଏବେ ପୁଣି ଏହି ରାସ୍ତାକୁ ଡିଏମଏଫ ଯୋଜନାରେ ସାମିଲ କରାଯାଇ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । ଠିକାଦାର ଦୀର୍ଘଦିନ ହେଲା ରାସ୍ତାଟିକୁ ଖୋଳିଦେଇ ରାସ୍ତା କଡେ କଡେ ମାଟି ପକାଇ ଦେଇଥିଲେ । ଏବେ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ରାସ୍ତାସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଛି । ଏହି ରାସ୍ତାଦେଇ ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର, ବାଲିବରେଇ ଆଦି ପଞ୍ଚାୟତର ଲୋକମାନେ ଯାତାୟତ କରୁଥିବାବେଳେ ସେମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷଙ୍କ ଖାମଖିଆଲି ଯୋଗୁଁ ଏପରି ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ରାସ୍ତାଟି ସମ୍ପୁର୍ଣ୍ଣ ଭଲ ଥିବାବେଳେ କାହିଁକି ଏହାକୁ ପୁନଃ ନିର୍ମାଣ କରାଗଲା ଓ ଫାଇଦା କାହାର ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି । ଉନ୍ନତ ମାନର ରାସ୍ତା ନିର୍ମାଣ ନକରି ନିମ୍ନଧରଣର ରାସ୍ତା କରାଯାଉଥିବାରୁ ଏ ଅଞ୍ଚଳର ରାସ୍ତା ଗୁଡିକର ମାନ ଦୀର୍ଘସ୍ଥାୟୀ ହେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚାଳବାସୀ ଦାବି କରିଛନ୍ତି ।