ଭସାଣି ବେଳେ ବାଣ ବିସ୍ପୋରଣ ଘଟଣା: କେନ୍ଦ୍ରାଞ୍ଚଳ ଆଇଜିଙ୍କ ଘଟଣାସ୍ଥଳ ପରିଦର୍ଶନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ବଜାରରେ ବୁଧବାର ସନ୍ଧ୍ୟାରେ ଚାଲିଥିଲା କାର୍ତ୍ତିକେଶ୍ୱର ଭସାଣି । ଭସାଣିରେ ପାଇପରେ ପଶି ବାଣ ଫୁଟାଯାଉଥିବା ବେଳେ ହଠାତ ସେହି ବାଣ ଫୁଟି ନିଆଁର ଝଲକ ଉପରୁ ଖସିପଡିଥିଲା ବାଣଗଦା ଉପରେ । ଜନଗହଳି ଭିତରେ ଗୋଟିଏ ପରେ ଗୋଟିଏ ବାଣ ଫୁଟି ବିଷ୍ପୋରିତ ହୋଇ ଚାଲିଥିଲା । ଲୋକମାନେ ହଠାତ ସେହି ଭିଡ ଭିତରୁ ବାହାରିଯିବା ସମ୍ଭବ ହୋଇପାରିନଥିଲା । ଫଳରେ ବହୁ ଲୋକ ସେହି ନିଆଁରେ ପୋଡିହୋଇ ଯାଇଥିଲେ । ଏଥିରେ ଭସାଣି ଦେଖିବାକୁ ଆସିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତ୍ତର ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ବି ତାହା ନପହଞ୍ଚିବାରୁ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବିଭିନ୍ନ ବେସରକାରୀ ଯାନରେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଖବର ପାଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଓ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ଅନ୍ୟମାନେ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ଚିକିତ୍ସାର ସୁବ୍ୟବସ୍ଥା କରାଇଥିଲେ । କେନ୍ଦ୍ରାପଡାରୁ କଟକ ସ୍ଥାନାନ୍ତର ହୋଇଥିବା ୩୩ଜଣ ଓ ସିଧାସଳଖ ସେଠାରେ ଭର୍ତ୍ତି ହୋଇଥିବା ଜଣଙ୍କୁ ମିଶାଇ ମୋଟ ୩୪ଜଣଙ୍କ ମଧ୍ୟରୁ ଗୁରୁତ୍ତର ଥିବା ୧୦ଜଣ ଆଇ.ସି.ୟୁ.ରେ ଚିକିତ୍ସାଧିନ ହେଉଥିବା ବେଳେ ଅନ୍ୟ ୨୪ଜଣ ବର୍ଣ୍ଣ ୱାର୍ଡ ଓ ଶଲ୍ୟ ବିଭାଗ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି । ଆଇ.ସି.ୟୁ.ରେ ଥିବା ୧୦ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପିଡିତଙ୍କ ମଧ୍ୟରୁ ୩ଜଣ ବାଳକ ଓ ୩ଜଣ ମହିଳା ଅଛନ୍ତି । ୱାର୍ଡରେ ରହି ଚିକିତ୍ସିତ ହେଉଥିବା ୨୪ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ଶରୀର ୫୦ଭାଗରୁ ଅଧିକ ପୋଡିଯାଇଛି । ପିଡିତମାନଙ୍କ ପାଇଁ ଆଗାମୀ ୭୨ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ସମୟ । କଟକ ବଡ ଡାକ୍ତରଖାନାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ଏବଂ ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ତଥା ଯୁବନେତା ରାଜେଶ ପଣ୍ଡା ପ୍ରମୁଖ ପହଞ୍ଚି ଚିକିତ୍ସିତ ଥିବା ପିଡିତମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ଚିକିତ୍ସା ଦାୟୀତ୍ୱରେ ଥିବା ଡାକ୍ତରଙ୍କ ସହ କଥା ହୋଇଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ମେଡିକାଲ) ଡା. ନୃପେନ ଶତପଥୀ ପ୍ରମୁଖ କଟକ ଡାକ୍ତରଖାନାରେ ପହଞ୍ଚି ଆଇ.ସି.ୟୁ.ରେ ଚିକିତ୍ସାଧିନ ଥିବା ପ୍ରତ୍ୟେକ ପିଡିତଙ୍କ ସମ୍ପର୍କୀୟଙ୍କୁ ୨୦ହଜାର ଟଙ୍କା ଓ ବିଭିନ୍ନ ୱାର୍ଡରେ ରହି ଚିକିତ୍ସାଧିନ ଥିବା ପ୍ରତ୍ୟେକ ପିଡିତଙ୍କ ସମ୍ପର୍କୀୟଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଚେକ ପ୍ରଦାନ କରିଥିବା ଜଣାପଡିଛି । ଭସାଣି ଉତ୍ସବ ସମୟରେ ପୋଲିସ ଉପସ୍ଥିତିରେ ଏଭଳି ବେଆଇନ ଭାବେ ବାଣ ଫୁଟାଯିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଏଭଳି ବେଆଇନ ବାଣ ଫୁଟା ଘଟଣାକୁ ରୋକା ଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ଆଜି ହୁଏତ ଏଭଳି ଦୂର୍ଘଟଣା ଘଟି ନଥାନ୍ତା ବୋଲି ବୁଦ୍ଧିଜିବିମାନେ କହିଛନ୍ତିି । କେନ୍ଦ୍ରାଞ୍ଚଳ ଆଇ.ଜି. ନରସିଂହ ଭୋଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକରଙ୍କ ସହିତ ଗୁରୁବାର ଘଟଣାସ୍ଥଳ ପରିଦର୍ଶନ କରି ବେଆଇନ ଭାବରେ ବାଣ ଫୁଟାଇଥିବା ଓ ମହଜୁଦ କରି ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପୋଲିସ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ସ୍ଥାନରୁ ସାମ୍ପୁଲ ସଂଗ୍ରହ କରିଛନ୍ତି ।