ଭାଇ,ଭଉଣୀ କଳହରେ ଶିକ୍ଷକ ଛେଚା ଖାଇଲେ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାରଙ୍କ କୋହଳ ଶିକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ଶିକ୍ଷକମାନେ ଲାଞ୍ଛିତ ହେଉଥିବା ଦେଖିବାକୁ ମିଳୁଛି । ମାର ମାର ଭଣ୍ଡାରିଆକୁ ମାର ନୀତିରେ ଛାତ୍ରଛାତ୍ରୀଙ୍କର ଯାହା ହେଲା ସରକାର ଶିକ୍ଷକ ମାନଙ୍କୁ ଦାୟୀ କରୁଥିବାବେଳେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡୁଛି । ଏପରି ବ୍ୟବସ୍ଥାର ଫାଇଦାନେଇ କିଛି ଲୋକ ଶିକ୍ଷକ ମାନଙ୍କ ଉପରେ ଦାଉ ସାଧିବାରେ ଲାଗିଛନ୍ତି । ଯାହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକର ଏକ ସ୍କୁଲରେ । ଗତ ଦୁଇଦିନ ତଳେ ଏହି ସ୍କୁଲରେ ଦୁଇ ଭାଇ ଭଉଣୀ ପାଟିତୁଣ୍ଡ ଲାଗିଥିଲେ । ଭଉଣୀ ଜଣକ ସାନ ଭାଇଟିକୁ ଚାପୁଡେ ପକାଇ ଦେବାରୁ କୁନି ଛୁଆଟି କାନ୍ଦି କାନ୍ଦି ଦଉଡି ଦଉଡି ନିଜ ଘରକୁ ପଳାଇଥିଲା । ଏହାଦେଖି ଛୁଆଟିର ବାପା କିଛି ନବୁଝି ନସୁଝି ସ୍କଲକୁ ଆସି ଶିକ୍ଷକଙ୍କୁ ଏକ କାଠ ଫାଳିଆରେ ପିଟି ଚାଲିଥିଲା । ସେ ସମୟରେ ବିଦ୍ୟାଳୟରେ ଉପସ୍ଥିତ ଅନ୍ୟ ଶିକ୍ଷକ ଓ ସିଆରସିସି ଏହାକୁ ଅଟକାଇ ଉକ୍ତ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ । ଏନେଇ ଅନ୍ୟ ଶିକ୍ଷକ ମାନେ ପୁଲିସର ଆଶ୍ରୟ ନେବାକୁ ପ୍ରବର୍ତ୍ତାଇଥିଲେ ମଧ୍ୟ ଶିକ୍ଷକ ଜଣକ ମାମଲାକୁ ଥାନାକୁ ନେବାକୁ ମନା କରିବାପରେ ସ୍ଥାନୀୟ ସରପଞ୍ଚ ଓ ଭଦ୍ରବ୍ୟକ୍ତି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଅଭିଭାବକ ଜଣକ କ୍ଷମା ପ୍ରାର୍ଥନା କରି ସମାଧାନ କରାଇଥିବା ଜଣାପଡିଛି । କିନ୍ତୁ ଏଠି ଶିକ୍ଷକଙ୍କ ନିରାପତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିପରି ଜଣେ ଶିକ୍ଷକ ସ୍କୁଲକୁ ଯାଇ ସୁସ୍ଥମାନସିକତା ନେଇ ଶିକ୍ଷାଦାନ କରିବ ତାହାକୁ ନେଇ ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି ।


