ଭାଇ ବୋହୂ ମାଡରେ ଦେଢ଼ଶୁର ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ଝୁଟୁଣା ଗ୍ରାମରେ ଖଳାବାଡ଼ିରେ ଶସ୍ୟ ରଖିବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଛି। ଏଥିରେ ଦୁଇ ପରିବାର ଗଣ୍ଡଗୋଳ ଲାଗିଥିବା ବେଳେ ଭାଇ ବୋହୂ ଆକ୍ରମଣରେ ଦେଢ଼ଶୁର ଆହତ ହୋଇଛନ୍ତି। ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରଥମ ପକ୍ଷ ନବଘନ ବେହେରା ଖଳା ବାଡ଼ିରେ ଶସ୍ୟ ରଖିବା ସଫା କରୁଥିବା ବେଳେ ଦ୍ୱିତୀୟ ପକ୍ଷ କ୍ଷୀରୋଦ ବେହେରା ଏହାକୁ ତୀବ୍ର ବିରୋଧ କରିଥିଲେ। ଏପରିକି ଅପରପକ୍ଷକୁ ଦ୍ୱିତୀୟ ପକ୍ଷ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମଧ୍ୟ ମାରିଥିଲେ। ଏଥିରେ ନବଘନ ତଳେ ପଡିଯିବାରୁ କ୍ଷୀରୋଦଙ୍କ ପତ୍ନୀ ସମ୍ପଦ ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏହାସହିତ ଅନ୍ୟମାନେ ମଧ୍ୟ ଏଥିରେ ସହଯୋଗ କରିଥିଲେ। ଆକ୍ରମଣରେ ଶିକାର ହୋଇଥିବା ନବଘନ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ସାରିବା ପରେ ଥାନାରେ ପହଞ୍ଚି ଭାଇ ବୋହୂ ସମ୍ପଦ, ଭାଇ କ୍ଷୀରୋଦ, ସାବିତ୍ରୀ ବେହେରା, ପ୍ରମୋଦ ବେହେରା, ରିଙ୍କି ବେହେରାଙ୍କ ନାମରେ ଆକ୍ରମଣ ନେଇ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଛି।