ଭାଇ ହେବତ ଏମିତି!

ଋଣରେ ବୁଡ଼ି ରହିଥିବା ସାନଭାଇ ଅନୀଲଙ୍କ ପାଇଁ ୮ କୋଟି ଡଲାର ବା ୫୫୦ କୋଟି ପ୍ରଦାନ କରି ତାଙ୍କୁ ଜେଲ ଯିବାରୁ ବଞ୍ଚାଇ ଦେଇଛନ୍ତି ମୁକେଶ।ବିପଦରେ ପଡ଼ିଥିବା ସମୟରେ ତ୍ରାଣକର୍ତ୍ତା ସାଜିଥିବା ରକ୍ତର ଭାଇ ମୁକେଶ ଏବଂ ଭାଉଜ ନୀତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୀଲ ଅମ୍ବାନୀ। ଏରିକ୍‌ସନ୍‌ର ସ୍ଥାନୀୟ ଏକ ୟୁନିଟ୍‌ ଅନୀଲଙ୍କ ରିଲାଏନ୍ସ କମ୍ୟୁନିକେସନ୍‌କୁ ଦେଇଥିବା ସେବା ବାବଦକୁ ପାଇବାକୁ ଥିବା ଅର୍ଥ ଅନେକ ଦିନ ଧରି ବକେୟା ରହିବା ପରେ ସୁପ୍ରିମ୍‌କୋର୍ଟକୁ ମାମଲା ଯାଇଥିଲା। ଫେବୃଆରୀରେ ସର୍ବୋଚ୍ଚ ନ୍ୟାୟାଳୟ ବକେୟା ଅର୍ଥ ଏରିକ୍ସନ କମ୍ପାନୀକୁ ଦେବାପାଇଁ ନିର୍ଦ୍ଦେଶ ଦେବା ସହିତ ଏଥିପାଇଁ ସମୟସୀମା ନିର୍ଦ୍ଧାରଣ କରି ଅନୀଲଙ୍କ ସମସ୍ୟା ବଢ଼ାଇ ଦେଇଥିଲେ। ଆବଶ୍ୟକ ପରିମାଣର ଅର୍ଥ ନିର୍ଦ୍ଧାରିତ ତାରିଖରେ ନ ଦେଇପାରିଲେ ଜେଲ ଯିବା ଅନିବାର୍ଯ୍ୟ ଥିଲା। କିନ୍ତୁ ଏହି ସମୟସୀମା ଅତିକ୍ରାନ୍ତ ହେବା ପୂର୍ବରୁ ହିଁ ଶେଷରେ ଭାଇ ମୁକେଶ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ।ସେ ଭାଇ ଭାଉଜଙ୍କୁ ଧନ୍ୟବାଦ ଦେଇ କହିଥିଲେ, “ଏଭଳି କଠିନ ପରିସ୍ଥିତିରେ ଆମ ପରିବାରର ମୂଲ୍ୟବୋଧ ପ୍ରଦର୍ଶନ କରିବା ସହିତ ସଠିକ୍ ସମୟରେ ସହାୟତାର ହାତ ବଢ଼ାଇଥିବାରୁ ସମ୍ମାନନୀୟ ଭାଇ ମୁକେଶ ଏବଂ ଭାଉଜ ନୀତାଙ୍କୁ ମୋ ଅନ୍ତରରୁ ଧନ୍ୟବାଦ। ମୁଁ ଏବଂ ମୋ ପରିବାର ଏଥିପାଇଁ କୃତଜ୍ଞ ଯେ, ଆମ ଅତୀତକୁ ଭୁଲି ବହୁତ ଆଗକୁ ଚାଲିଆସିଛେ। ସତରେ ଆପଣଙ୍କ ଏହି ପଦକ୍ଷେପରେ ମୁଁ ଅଭିଭୂତ।ଶେଷ ମିନିଟ୍‌ରେ ମୁକେଶଙ୍କ ଏହି ବଦାନ୍ୟତା ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ତିକ୍ତ ହୋଇ ଯାଇଥିବା ଭାଇ ଭାଇ ସମ୍ପର୍କରେ ସୁଧାର ଆସିଛି। ଏହା ର୍ପୂବରୁ ଭାରତର ବ୍ୟବସାୟ ଜଗତର ବାଦଶାହ ତଥା ମୁକେଶ ଏବଂ ଅନୀଲଙ୍କ ବାପା ଧୀରୁଭାଇ ଅମ୍ବାନୀଙ୍କ ସାମ୍ରାଜ୍ୟର ଭାଗବଣ୍ଟାକୁ ନେଇ ଦୁଇ ଭାଇ ଅଲଗା ହୋଇଥିଲେ।

ଏହି ବିଭାଜନ ଧୀରୁଭାଇଙ୍କ ମୃତ୍ୟୁର ୩ ବର୍ଷ ପରେ ଅର୍ଥାତ ୨୦୦୫ରେ ହୋଇଥିଲା। ଅନୀଲଙ୍କୁ ନୂତନ ବ୍ୟବସାୟ ଭାଗ ମିଳିଥିଲା। ପିତାଙ୍କ ପୁରୁଣା ବ୍ୟବସାୟ ସମ୍ଭାଳିଥିଲେ ମୁକେଶ। ବଡ଼ଭାଇ ମୁକେଶଙ୍କ ତୈଳ ଏବଂ ପେଟ୍ରୋକେମିକାଲ ବ୍ୟବସାୟ ଅତ୍ୟନ୍ତ ସଫଳ ହୋଇଥିବାବେଳେ ଅନୀଲଙ୍କ ଟେଲିକମ୍ୟୁନିକେସନ୍‌ ବ୍ୟବସାୟ ପ୍ରବଳ କ୍ଷତି ସହିଥିଲା। ତାଙ୍କ କମ୍ପାନୀ ନାମରେ ବିଭିନ୍ନ କୋର୍ଟ ମାମଲା ଚାଲୁ ରହିଛି, ଯାହା ତାଙ୍କୁ ତଳିତଳାନ୍ତ କରିଦେଇଛି। ଅନ୍ୟପକ୍ଷରେ ମୁକେଶ ପରେ ଟେଲିକମ୍ୟୁନିକେସନ୍‌କୁ ଫେରି ରିଲାଏନ୍ସ ଜିଓ ଆରମ୍ଭ କରିଥିଲେ। ଏହା ବର୍ତ୍ତମାନ ଭାରତର ଅଗ୍ରଣୀ ଟେଲିକମ୍‌ କମ୍ପାନୀ।

 

 

 

 

 

 

 

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ