ଭାଉଜଙ୍କୁ କାତିରେ ଆକ୍ରମଣ କରି ଦିଅର ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶୁକ୍ରବାର ବିଳମ୍ବିତ ରାତିରେ ସାମାନ୍ୟ କଥାକୁ କେନ୍ଦ୍ର କରି ଭାଉଜଙ୍କୁ କାତିରେ ଆକ୍ରମଣ କରି ଦିଅରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମରେ ଘଟିଛି । ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ କୌଣସି କଥାକୁ କେନ୍ଦ୍ର କରି ମୋହନାପଲ୍ଲୀ ଗ୍ରାମର ପ୍ରଦୀପ ଦାସ ଓ ତାଙ୍କ ସ୍ତ୍ରୀ କବିତାଙ୍କ ମଧ୍ୟରେ ମାଡଗୋଳ ହୋଇଥିଲା । ଘଟଣା ନେଇ କବିତା ପୁଅ ପପୁଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ପପୁ ଘରକୁ ଆସି ବାପା ଓ ମା’ଙ୍କୁ ବୁଝାସୁଝା କରିଥିଲେ । ପ୍ରଦୀପଙ୍କ ଭାଉଜ ଗୀତା ଦାସ ଘଟଣା ନେଇ ପପୁଙ୍କୁ ଜଣାଇଥିବା ସନ୍ଦେହ କରି ପ୍ରଦୀପ ଭାଉଜ ଗୀତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ କାତିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୀତା ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଘଟଣା ନେଇ ଗୀତା ଶନିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୨୩୨/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଦିଅର ପ୍ରଦୀପଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ