ଭାଗବତପୁର ସରପଞ୍ଚଙ୍କ ଶଶୁର ଦାମୋଦର ସାମଲଙ୍କ ଦୂର୍ଘଟଣାରେ ମୃତ୍ୟୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ଶଶୁର ଦାମୋଦର ସାମଲ(୭୫)ଙ୍କର ବାଲିଆ ବଜାର ନିକଟସ୍ଥ କଟକ-ଚାନ୍ଦବାଲି ରାସ୍ତାରେ ଏକ କାର ଧକ୍କାରେ ଶନିବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି । ଘଟଣା ଅନୁଯାୟୀ ସଦର ଥାନା ଅନ୍ତର୍ଗତ ପୋଇଲୋ ଗ୍ରାମର ଦାମୋଦର ସାମଲ ଜଣ୍ଟିଲୋ ଗ୍ରାମର ନୃସିଂହ ସାହୁଙ୍କ ସହିତ ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ବାଲିଆ ବଜାରରୁ ଜଣ୍ଟିଲୋ ଆଡକୁ ଚାଲି ଚାଲି ଯାଉଥିବା ବେଳେ କଟକ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇଟେନ କାର(ଓଡି-୦୫-ଏନ- ୫୫୬୬) ସେମାନଙ୍କୁ ବାଲିଆ ନିଗମ ଫିଲିଙ୍ଗ ଷ୍ଟେସନ ସମ୍ମୁଖରେ ପଛରୁ ଜୋରରେ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଦାମୋଦରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ନୃସିଂହଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦାମୋଦରଙ୍କ ପୁତ୍ର ତଥା କେନ୍ଦ୍ରାପଡା ବ୍ଲକ ଯୁବ ବିଜେଡି ସଭାପତି ସଂଗମ କେଶରୀ ସାମଲଙ୍କ ଅଭିଯୋଗ କ୍ରମେ ସଦର ଥାନା ପୋଲିସ ଏକ ଦୂର୍ଘଟଣା ମାମଲା ରୁଜୁ କରି ଶବ ଜବତ କରିବା ସହିତ ଦୂର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଥିବା ଜଣାପଡିଛି । ରାତି ହୋଇଯାଇଥିବାରୁ ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶେଷକୃତ୍ୟ ପାଇଁ ଦାମୋଦରଙ୍କ ଶବ ହସ୍ତାନ୍ତର କରାଯିବ । ଏସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଯୁବନେତା ରାଜେଶ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଭାଗତପୁର ସରପଞ୍ଚ ଶ୍ରୀମତୀ ନାୟକ, କାଉନସିଲର କାଳି ପ୍ରସାଦ ମିଶ୍ର, ନିରାକାର ସ୍ୱାଇଁ, ଉମେଶ ନାୟକ, ପ୍ରଭାଶିଷ ପଣ୍ଡା,ମଙ୍ଗଳବରଣ ସିଂ, ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ ପାତ୍ରଙ୍କ ସମେତ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଞ୍ଚାୟତର ବହୁ ସରପଞ୍ଚଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ପହଞ୍ଚି ଶୋକବ୍ୟକ୍ତ କରିବା ସହିତ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ