ଭାଗ୍ୟରେ ଥିଲେ ମିଳେ ଅଣସର ପଣା ଭୋଗ

ସନ୍ତୋଷ କୁମାର ଦାଶ

ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରି ଜ୍ୱର ରେ ପୀଡ଼ିତ ହୋଇପଡ଼ି ଚତୁର୍ଦ୍ଧାମୂର୍ତ୍ତି
ଅଣସର ଗୃହକୁ ବିଜେ କରିଥାନ୍ତି। ସେଠାରେ ଦଇତାପତି ସେବକ ମାନେ ଭକ୍ତି ଓ ନିଷ୍ଠା ର ସହିତ ଶ୍ରୀ ଜୀଉ ମାନଙ୍କର ସେବା ଶୁଶ୍ରୁଷା କରିଥାନ୍ତି। ଏହି ସମୟ ରେ ଠାକୁର ମାନଙ୍କୁ କେବଳ ଫଳ ମୂଳ ଚକଟା ଭୋଗ ଲାଗି କରାଯିବାର ପରମ୍ପରା ରହିଛି। ଏହି ସମୟରେ ଶ୍ରୀ ଜିଉ ମାନଙ୍କୁ ପଣା ଭୋଗ ମଧ୍ଯ ଅର୍ପଣ କରାଯାଇଥାଏ। ‘ନୀଳାଦ୍ରି ମହୋଦୟ’ ର ବର୍ଣ୍ଣନା ଅନୁସାରେ ଅଣସର ଗୃହ ରେ ବିଦ୍ୟାପତି ବଂଶର ଦଇତାପତି ସେବକ ମାନେ ପନ୍ଦରଦିନ ଧରି ଶ୍ରୀ ଜିଉ ମାନଙ୍କୁ କର୍ପୂର ମିଶା ମିଶ୍ରି ପଣା ଭୋଗ ଲାଗି କରିଥାନ୍ତି। ଏହି ମିଶ୍ରି ପଣା ରେ କ୍ଷୀର,ସର ମିଶା ଯାଇଥାଏ।ଆମେ ଯେପରି ଜ୍ଵର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇ ଥାଉ, ସେହିପରି ଜ୍ୱର ରେ ପୀଡ଼ିତ ଶ୍ରୀ ଜିଉ ମାନଙ୍କ ପାଇଁ ଏହା ସେହିପରି ତରଳ ପାନୀୟ ବ୍ୟବସ୍ଥା ।ଏହି ସମୟରେ ଅଣସର ତାଟି ଭିତରେ ଥିବା ଠାକୁର ମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ ।ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀ ଅଙ୍ଗର ମାଳ ଚନ୍ଦନ ଆଦି ବାହାରକୁ ନିଆଯାଏ ନାହିଁ। କିନ୍ତୁ ଶ୍ରୀ ଜିଉ ମାନଙ୍କୁ ଲାଗି ପଣା ବାହାରକୁ ନିଆ ଯାଇ ଭକ୍ତ ଓ ଜଗନ୍ନାଥ ପ୍ରେମୀ ମାନଙ୍କୁ ବଣ୍ଟନ କରା ଯାଇଥାଏ। କ୍ଷୀର,ସର ମିଶା ମିଶ୍ରି ପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁ ଦେବତା ମାନଙ୍କୁ ସମର୍ପଣ କରନ୍ତି । ପରେ ଦଇତା ସେବକ ମାନେ ସେହି ଭୋଗରେ ଅଧିକ କ୍ଷୀର,ସର ଓ ମିଶ୍ରି ମିଶାଇ ତାହାକୁ ଭକ୍ତ ମାନଙ୍କୁ ବିତରଣ କରିଥାଆନ୍ତି l ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ। ପ୍ରତିବର୍ଷ ଅଣସର ବେଳେ ଏହି ପଣା ଭୋଗ ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇ ଥାଏ । ଭାଗ୍ୟରେ ଥିଲେ ଅଣସର ପଣା ଭୋଗ ଖାଇବାକୁ ମିଳିଥାଏ।

ଜୟ ଜଗନ୍ନାଥ ସ୍ଵାମୀ।।

ତୁଳସୀପୁର। ପୁରୀ।।
୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ