ଭାଜପାର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଦଳୀୟ ସଂଗଠନକୁ ସୁଦୃଢ କରାଯିବା ଉପରେ ବିଶେଷ ଗୁରୁତ୍ୱ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଭାଜପା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଭାଜପା ଦଳୀୟ ସଂଗଠନ ସ୍ଥିତିକୁ କିଭଳି ଅଧିକ ମଜବୁତ କରି ଅଧିକରୁ ଅଧିକ ଜନସମର୍ଥନ ହାସଲ କରିହେବ ସେ ସମ୍ପର୍କରେ କର୍ମୀ ମାନଙ୍କୁ ଆହ୍ୱାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ଦଳର ରାଜନୈତିକ ଚିଠା ତଥା ୧୧ଗୋଟି ପ୍ରସ୍ତାବ ଯଥା ସୀମା ବିବାଦର ଯଥାଶୀଘ୍ର ସମାଧାନ କରିବା, ଅର୍ଦ୍ଧନିର୍ମିତ ଡମ୍ବାପୁର ଓ ଚମାପାପୁର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଇ କାର୍ଯ୍ୟକ୍ଷମ କରାଇବା, ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡିବା, ଧାନ କିଣାରେ ଦୁର୍ନୀତି ପ୍ରଭୃତିକୁ ପାଠ କରିବା ପରେ ଆଲୋଚନା ସହ ସେ ସବୁକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । ଭାଜପା ଦଳର ବିଭିନ୍ନ କ୍ଷେତ୍ରରେ ଗଠିତ ହୋଇଥିବା ୨୧ଟି ମୋର୍ଚ୍ଚାର କର୍ମକର୍ତ୍ତା ମାନେ ତୃଣମୂଳ ସ୍ତରରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଦଳୀୟ ସଂଗଠନ ସ୍ଥିତୁକ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହାସହ କେନ୍ଦରୀୟ ଯୋଜନାଗୁଡିକୁ ରାଜ୍ୟ ସରକାର ନିଜ ନାମ କରି ବାହାବା ନେଇଛି ଏହାକୁ ତୃଣମୂଳସ୍ତରରେ ଲୋକଙ୍କ ଠାରେ ସଚେତନ କରାଇ ବିଶ୍ୱାସ ଭାଜନ ହେବାକୁ ହେବ । ଆଗାମୀ ଦିନ ମାନଙ୍କରେ ଅନୁଷ୍ଠିତ ହେବାକୁଥିବା ବିଭିନ୍ନ ନିର୍ବାଚନରେ ଦଳକୁ ଯେଭଳି ଅଧିକ ସଂଖ୍ୟକ ଆସନ ଆସିବ ସେ ଦିଗରେ ଦଳୀୟ କର୍ମୀମାନେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, ଗୋଷାଣୀ ବ୍ଲକ ଅଧ୍ୟକ୍ଷା ସି.ଏଚ୍. ତାରିକେଶ୍ୱରୀ, କାଶୀନଗର ବ୍ଲକ ଅଧ୍ୟକ୍ଷ ସିଏଚ୍.ସିମାଦ୍ରି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ସାଧାରଣ ସମ୍ପାଦକ କାମଦେବ ବଡନାୟକ, ପୂର୍ବତନ ଜିଲ୍ଲା ଭାଜପା ସଭାପତି ଏମ୍. ଗୋପାଳ ରାଓ, ଜିଲ୍ଲା ଯୁବ ଭାଜପା ସଭାପତି ସନ୍ତୋଷ ଜେନା, ମହିଳା ମୋର୍ଚ୍ଚାର ସଭାନେତ୍ରୀ ପି.ଲତା, କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର ପାଳ ପ୍ରମୁଖଙ୍କ ସହ ବ୍ଲକସ୍ତରୀୟ ଭାଜପା ସଭାପତି ତଥା ନେତା, ଜିଲ୍ଲାସ୍ତରୀୟ ଭାଜାପା ନେତା ଓ କର୍ମୀ ମାନେ ଯୋଗଦେଇଥିଲେ ।