ଭାଦ୍ରବରେ ବର୍ଷାର ଲୁଚକାଳି ଖେଳ,ଜଳପାଇଁ ଚିନ୍ତାରେ ଚାଷୀ କୁଳ, ବେଲଗୁଣ୍ଠାରେ ମରୁଡିର ପଦ ଧ୍ୱନି

ବେଲଗୁଣ୍ଠା, ( ସନ୍ତୋଷ ବିଶୋୟୀ): ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କ ପାଇଁ ଚଳିତ ଖରିଫଋତୁ ବର୍ଷା ବଦଳରେ ଲୁହ ଆଣି ଦେଇଛି I ଚାଷୀଙ୍କ ଜମିରେ ଧାନ ତଳି ପଡିଛି ହେଲେ ରୁଆ ହୋଇ ପାରୁନି ।ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ ।ବର୍ଷା ଅଭାବରୁ ଅଧିକାଂଶ ସ୍ଥାନରେ ଧାନ ରୁଆ ହୋଇ ନଥିବାବେଳେ ତଳି ବଞ୍ଚାଇବାକୁ ମଧ୍ୟ ପାଣିର ଅଭାବ ଦେଖା ଦେଇଥିବା ଯୋଗୁଁ ଧାନ ରୋଇ ସାରିଥିବା ଚାଷୀ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବସିଛି ।ମେଘ ଆସୁଛି ହେଲେ ବର୍ଷା ନାହିଁ । ବିଶେଷ କରି ଏହି ବ୍ଳକ୍ ରେ ଜଳସେଚନର ଆଦୌ ସୁବିଧା ନଥିବାବେଳେ ଚାଷୀ ବର୍ଷା ଉପରେ ଭରସା କରି ଧାନ ଚାଷ କରିଥାଏ । ପାଣି ଅଭାବରୁ ଧାନ ରୁଆ ସରିଥିବା ଅଧିକାଂଶ ଜମି ଏବେ ଫାଟି ଆଁ କରିଥିବାବେଳେ ଧାନଗଛ ମଧ୍ୟ ଶୁଖି ମରିବା ଆରମ୍ଭ ହେଲାଣି ।ଚଳିତବର୍ଷ ଖରିଫ ୠତୁରେ ଭଲ ଅମଳ କରିବାକୁ ଚାଷୀ ଆଶା ରଖିଥିବାବେଳେ ଜଳ ଅଭାବ ଯୋଗୁଁ ଏବେ ହତାଶ ହୋଇପଡିଛି ।ଚାଷ କରିବା ତ ଦୂରର କଥା ବୁଣିଥିବା ତଳିକୁ ବଞ୍ଚାଇବା ମଧ୍ଯ ଚାଷୀ ପାଇଁ କାଠିକର ପାଠ ହୋଇଛି । ବ୍ଳକ୍ ର କିଛି ତଳିଆ ଜମିରେ ରୁଆ ଚାଲିଥିବାବେଳେ ଅନ୍ୟ ଜମି ଗୁଡିକ ପଡିଆ ପଡିଛି । ଖରିଫରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ମୁଁହରୁ ହସ ଲିଭିଯାଇଛି ।ବର୍ଷାକୁ ଚାତକ ପରି ଚାହିଁ ରହିଛି ଚାଷୀ ।ତଳି ବଞ୍ଚାଇବାକୁ ପୋଖରୀରୁ ପାଣି ଆଣି ପକାଉଛି ।ଜଳସେଚନର ସୁବିଧା ନଥିବା କାରଣ ରୁ ଚାଷୀ ଏଭଳି ଦଶା ଭୋଗୁଛି । ବେଲଗୁଣ୍ଠା ଅଞ୍ଚଳର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି ।ମୌସୁମୀ ଆସିଲେ ଧାନ ବୁଣିବା ସହ ବର୍ଷା ହେଲେ ପାଗ ଦେଖି ଧାନ ରୋଇଥାନ୍ତି ।ଅଗଷ୍ଟ ମାସ ଶେଷ ଯାଏଁ ଧାନ ରୁଆ ଚାଲିଥାଏ ।ତେବେ ବର୍ତ୍ତମାନ ସୁଦ୍ଧା ଅଧା ଜମିରେ ଧାନ ରୁଆ ହୋଇନଥିବା ଚିନ୍ତାର ବିଷୟ ପାଲଟିଛି ।ଯାହାବି ହୋଇଛି ସେଗୁଡିକୁ  ବଞ୍ଚାଇବାକୁ ଯାଇ ଚାଷୀ ଅତ୍ୟଧିକ ଖର୍ଚ୍ଚ।ନ୍ତ ହେଉଛି । ଏଦିଗରେ ପ୍ରଶାସନ ମଧ୍ୟ ହାତ ଟେକି ଦେଇଥିବା ବେଳେ ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରି ସହାୟତା ଯୋଗାଇଦେବା ପାଇଁ କୃଷକ ମାନେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ