ଭାନ୍ନା ଗ୍ରାମରେ ଶୀତବସ୍ତ୍ର ବାଣ୍ଟିଲେ ପାରଳାଖେମୁଣ୍ଡି ରାଜକୁମାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଭାନ୍ନା ଗ୍ରାମକୁ ପାରଳାଖେମୁଣ୍ଡି ରାଜକୁମାରୀ ତଥା ବିଜେଡି ନେତ୍ରୀ ସୁଶ୍ରୀ କଲ୍ୟାଣୀ ଦେବୀ ଗସ୍ତ କରି ଗରିବଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ଉକ୍ତ ଗ୍ରାମର ବିଦ୍ୟାଳୟ ନିକଟରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଠନ ଲିଖନ ସାମଗ୍ରୀ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମ ଭିତରକୁ ଯାଇ ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଗରିବ ଲୋକଙ୍କୁ ଶୀତବସ୍ତ୍ର ବାଣ୍ଟିଥିଲେ । ପାରଳାଖେମୁଣ୍ଡି ରାଜକୁମାରୀଙ୍କ ଏହି ଗସ୍ତ ଯୋଗୁଁ ଗ୍ରାମବାସୀ ବିଶେଷ ଉତ୍ସାହିତ ଓ ଆନନ୍ଦିତ ଥିବା ସୁଚନା ମିଳିଛି । ରାଜକୁମାରୀଙ୍କ ଗସ୍ତ ସମୟରେ ତାଙ୍କ ସହିତ କାଶୀନଗର ବ୍ଲକ ବିଜେଡି ସଭାପତି ଆର୍.ରାମପ୍ରସାଦ, କାଶୀନଗର ଏନ୍ଏସି ସଭାପତି ରଘୁରାମ ସାହୁ, ସାଂସଦ ପ୍ରତିନିଧି ଆର୍.ବାବୁ ରାଓ ପ୍ରମୁଖ ଉପସ୍ଥିତଥିଲେ । ଭାନ୍ନା ଗ୍ରାମରେ ବିଜେଡି କର୍ମୀଙ୍କ ଏକ ସମାବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲା ।


