ଭାବମୂର୍ତୀ କଳଙ୍କିତ
ପାର୍ଲିଆମେଂଟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତି ବର୍ଦ୍ଧନ ସିଂହଙ୍କ ବୟାନ ଅନୁଯାୟୀ ଅଧିକରୁ ଅଧିକ ଭାରତୀୟ ଏବେ ଦେଶଛାଡି ପାଶ୍ଚାତ ରାଷ୍ଟ୍ରଗୁଡିକରେ ବିଶେଷ କରି ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ କାନାଡାରେ ଶରଣାର୍ଥୀ ଭାବେ ଆଶ୍ରୟ ନେଉଛନ୍ତି, ଯାହାକି କେବଳ ଭାରତ ପରି ଏକ ବିକାଶମୁଖୀ, ଗଣତାନ୍ତ୍ରୀକ ରାଷ୍ଟ୍ରପାଇଁ ଅବଦାନ ନୁହେଁ, ଦେଶର ଭାବମୂର୍ତୀକୁ ବିଶ୍ୱରେ କଳଙ୍କିତ କରୁଛି ବୋଲି କୁହାଯାଇପାରିବ । କେବଳ ଏତିକି ନୁହେଁ, ଏଭଳି ଘଟଣା ଦେଶର ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି । ମିଳିଥିବା ତଥ୍ୟ ଅନୁଯାୟୀ, ଗଲା ୨୦୨୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୧,୦୦୦ ଭାରତୀୟ ଯୁକ୍ତରାଷ୍ଟ୍ର ଆମେରିକାରେ ଆଶ୍ରୟ ନେବା ଅନୁମତି ଲୋଡିଥିଲେ ଯାହାକି ଗତ ତିନି ବର୍ଷ ତୁଳନାରେ ୮୫୦ ପ୍ରତିଶତ ଅଧିକ । ଆମେରିକାର ହୋମଲ୍ୟାଣ୍ଡ (ଆଭ୍ୟନ୍ତରୀଣ) ନିରାପତା ବିଭାଗ ଏହି ତଥ୍ୟ ପ୍ରଦାନ କରିଛି । ସେହିପରି ଗତ ୨୦୨୩ ଅକ୍ଟୋବରରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ କାନାଡା କିମ୍ବା ମେକସିକୋରୁ ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ୯୦ହଜାରରୁ ଉର୍ଦ୍ଧ୍ୱ ଭାରତୀୟଙ୍କୁ ଗିରଫ କରାଯାଇଥିବା କୁହାଯାଏ । କେବଳ ଏତିକି ନୁହେଁ, ୨୦୨୨ ମସିହା ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ବିନା କାଗଜପତ୍ରରେ ବା ଭିସା, ପାସପୋର୍ଟ ବିନା ୭ଲକ୍ଷ ୨୫ହଜାରରୁ ଉର୍ଦ୍ଧ୍ୱ ଭାରତୀୟ ଥିବା କୁହାଯାଏ । ସେହିପରି ବ୍ରିଟେନରେ ୨୦୨୩ରେ ୫୦୦୦ରୁ ଅଧିକ ଭାରତୀୟ ଆଶ୍ରୟ ନେବା ପାଇଁ ଆବେଦନ କରିଥିବାବେଳେ ସେହିବର୍ଗ ୧୦୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଅତି ବିପଦଜନକ ଭାବେ କ୍ଷୁଦ୍ର ଏବଂ ଇନ୍ଫାଟେବୁଲ୍ ବୋଟରେ ଇଂଲିଶ ଚ୍ୟାନେଲ ଗାର ହୋଇବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ସେହିପରି ୨୦୨୪ ସେପ୍ଟେମ୍ବର ୨୪ତାରିଖ ସୁଦ୍ଧା କାନାଡାରେ ଆଶ୍ରୟ ପାଇଁ କାନାଡାରେ ଆଶ୍ରୟ ପାଇଁ ୨୪,୩୮୦ଜଣ ଭାରତୀୟ ଆବେଦନ କରିଥିବା ରିପୋର୍ଟ ପ୍ରକା ପାଇଛି । ବିଦେଶରେ ଭାରତୀୟଙ୍କ ଆଶ୍ରୟ ଭିକ୍ଷା ନିଶ୍ଚିତ ଭାବେ ଅତ୍ୟନ୍ତ ଚିନ୍ତାଜନକ । ଉଲ୍ଳେଖଯୋଗ୍ୟ ଯେ, ଯେଉଁମାନେ ବିଦେଶୀ ରାଷ୍ଟ୍ରରେ ଆଶ୍ରୟ ଭିକ୍ଷା କରିଛନ୍ତି, ସେମାନେ ସମସ୍ତେ ପ୍ରାୟ ଭାରତୀୟ ଦଣ୍ଡବିଧି ଆଇନ ଦ୍ୱାରା ଦଣ୍ଡିତ ହୋଇଛନ୍ତି ବା ଦଣ୍ଡିତ ହେବା ଆଶଙ୍କାରେ ଦେଶ ଛାଡି ପଳାୟନ କରିଥିବା କୁହାଯାଏ । ଶିଳ୍ପପତି ବିଜୟ ମାଲ୍ୟାଙ୍କ ଠାରୁ ଆରମ୍ଭ କରି ବହୁ ଶିଳ୍ପପତି ଓ ବ୍ୟବସାୟୀ ଭାରତୀୟ ବ୍ୟାଙ୍କ ଗୁଡିକରୁ ହଜାର ହଜାର କୋଟି ଟଙ୍କା ଠକେଇ କରି ବିଦେଶରେ ଆଶ୍ରୟ ନେଇଛନ୍ତି । ସେହିପରି ଇତିମଧ୍ୟରେ ଭାରତୀୟ ନାଗରିକତ୍ୱ ତ୍ୟାଗ ବିଦେଶୀ ରାଷ୍ଟ୍ରର ନାଗରିକତ୍ୱ ଗ୍ରହଣ କରିବା ଭାରତୀୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୧୦ବର୍ଷ ମଧ୍ୟରେ ୬ଲକ୍ଷରୁ ଉର୍ଦ୍ଧ୍ୱ ଭାରତୀୟ ନାଗରିକତ୍ୱ ତ୍ୟାଗ କରି ବିଦେଶୀ ରାଷ୍ଟ୍ରର ନାଗରିକତ୍ୱ ଗ୍ରହଣ କରିଥିବା ସରକାରୀ ପରିସଂଖ୍ୟାନ ତଥ୍ୟ କହେ । ଆହୁରି ନିଯୁକ୍ତି ଓ ଅଧ୍ୟୟନ ଆଭିମୁଖ୍ୟ ନେଇ ବହୁ ଭାରତୀୟ ଯୁବକ-ଯୁବତୀ ଛାତ୍ରଛାତ୍ରୀ ବିଦେଶକୁ ଯିବା ସହ ସ୍ଥାୟୀ ଭାବେ ବାସ କରିବା ସହ ସେହି ଦେଶର ନାଗରିକତ୍ୱ ଗ୍ରହଣ କରି ଆସୁଛନ୍ତି । ଅତୀତରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶରୁ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ରକୁ ନିଯୁକ୍ତି ପାଇ ବ୍ରେନଡ୍ରେନ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ । ଏହା ନିସନ୍ଦେହ ଯେ, ଉଚ୍ଚ ବେତନ ଆଶାରେ ଉଚ୍ଚ ବୈଷୟିକ ଏବଂ ଡାକ୍ତରୀ ଡିଗ୍ରୀଧାରୀ ମେଧାବୀ ଛାତ୍ରଛାତ୍ରୀମାନେ ବିଦେଶ ଗସ୍ତରେ ଯିବା ଏବେ ଏକ ନିୟମିତ ପ୍ରକ୍ରୀୟାରେ ପରିଣତ ହୋଇଛି । ସେମାନେ ବସବାସ କରିବା ସହ ସ୍ଥାୟୀ ନାଗରିକତ୍ୱ ଗ୍ରହଣ କରୁଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଦ୍ୱୈତ ନାଗରିକତ୍ୱକୁ ସ୍ୱୀକୃତି ଦେଇଥିବାରୁ ଭାରତୀୟଙ୍କ ବିଦେଶୀ ନାଗରିକତ୍ୱ ବୃଦ୍ଧି ପାଇବାର ମୁଖ୍ୟ କାରଣ ହୋଇଛି ବୋଲି କହିଲେ ହୁଏତ ଅତ୍ୟୁକ୍ତି ହୋଇନପାରେ । ଆହୁରି ମଧ୍ୟ ବିଭିନ୍ନ କାରଣରୁ ଦେଶର ଆଇନ ଏବଂ ଧାର୍ମିକ ଗୋଷ୍ଠୀ ଦ୍ୱାରା ଉତପୀଡନର ଶୀକାର ବହୁ ଭାରତୀୟ ନାଗରିକ ଦେଶ ଛାଡି ବିଦେଶରେ ଆଶ୍ରୟ ନେଇଥିବା ଅଭିଯୋଗ ହୁଏ । ଏହା ନିସନ୍ଦେହ ଯେ, ଦେଶ ପାଇଁ ଏହା ଏକ କଳଙ୍କିତ ଅଧ୍ୟାୟ । ଯଦି ଭାରତୀୟ ଗଣତନ୍ତ୍ର ଏବଂ ପ୍ରତିଷ୍ଠାନଗୁଡିକ ଉପରେ ସେମାନେ ଆସ୍ଥା ପ୍ରକଟ କରିପାରିବେ ନାହିଁ କିମ୍ବା ଦେଶ ସେମାନଙ୍କ ଅଭିଯୋଗର ସମାଧାନ କରିପାରିବ ନାହିଁ, ଏପରି ଧାରଣା ସେମାନେ ଅନୁଭବ କରିଥାନ୍ତି । ଏହା ନିଶ୍ଚିତ ଭାବେ ଏକ ନିନ୍ଦନୀୟ ଘଟଣା । ଏହା ନିସନ୍ଦେହ ଯେ, ଭାରତ ପରି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏଭଳି ଘଟଣା ଆଦୌ ଶୁଭଙ୍କର ନୁହେଁ । ଏହା ସତ୍ୟ ଯେ, ନାଗରିକଙ୍କ ଦୁଃଖ, ସମସ୍ୟା ଲାଘବ କରିବା ସରକାରଙ୍କ ଦାୟିତ୍ୱ । ନୈରାଶ୍ୟ ଜର୍ଜରିତ ହୋଇ ବା ନିରାଶଭାବ ନେଇ ଏହାର ନାଗରିକ ଯେପରି ଅନ୍ୟ ରାଷ୍ଟ୍ରରେ ଶରଣାର୍ଥୀ ଭାବେ ଆଶ୍ରୟ ନନିଅନ୍ତି, ସେଥିପ୍ରତି ଧ୍ୟାନଦେବା ରାଷ୍ଟ୍ରର କର୍ତବ୍ୟ । ଅନ୍ୟଥା ବିଶ୍ୱରେ ଭାରତର ଭାବମୂର୍ତୀ କ୍ଷୁର୍ଣ୍ଣ ହେବା ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,