ଭାବି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁୁଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ପାଇଁ ନିବେଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କଂଗ୍ରେସ ଦଳର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଭାରତର ଭାବି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁୁଙ୍କୁ ଦଳମତ ନିର୍ବିଶେଷରେ ଭୋଟଦାନ କରିବା ପାଇଁ ଏକ ପ୍ରେସ୍ ବିବୃତ୍ତିରେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ନାରୀ ଶକ୍ତିର ସଶକ୍ତିକରଣ ତଥା ଓଡ଼ିଶାର ସ୍ୱାଭିମାନର ପ୍ରତୀକ ଭାବରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏହା ସାଢେ ଚାରିକୋଟି ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦ୍ୱିତୀୟତଃ ଏଯାବତ୍ ଓଡ଼ିଶାରୁ କୌଣସି ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇନଥିଲେ । ସେହିପରି ଶ୍ରୀମତୀ ମୁର୍ମୁ କେବଳ ମହିଳା ନୁହଁନ୍ତି, ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଛନ୍ତି । ନିଜର ରାଜନୈତିକ ଜୀବନ ଜଣେ କାଉନସିଲରରୁ ଆରମ୍ଭ କରିଥିବା ଶ୍ରୀମତୀ ମୁର୍ମୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ମନ୍ତ୍ରୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରିବା, ଝାଡ଼ଖଣ୍ଡର ମହାମାନ୍ୟ ରାଜ୍ୟପାଳ ଭାବେ ନିଜର କାର୍ଯ୍ୟକ୍ରମର ଦକ୍ଷତା ଓ ନିରପେକ୍ଷତା ପ୍ରତିପାଦନ କରିଛନ୍ତି । କୌଣସି ପ୍ରତିପତ୍ତିଶାଳୀ ପରବାରରୁ ନ ଆସିଥିଲେ ମଧ୍ୟ ଶ୍ରୀମତୀ ମୁର୍ମୁ ନିଜର କର୍ମ ଦକ୍ଷତା ବଳରେ ଆଜି ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି । ଏପରିସ୍ଥଳେ ପାର୍ଟି ବଡ଼ ନୁହେଁ, ମାଟି ବଡ଼, ମା’, ଭଉଣୀ ତଥା ନାରୀଶକ୍ତି ଓ ଆଦିବାସୀ ଜନଜାତି ସମ୍ପ୍ରଦାୟ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଦଳର ସାଂସଦ ଓ ବିଧାୟକମାନେ ଶ୍ରୀମତୀ ମୁର୍ମୁୁଙ୍କୁ ଓଡ଼ିଶାପ୍ରୀତିର ପରିଚୟ ପ୍ରଦାନ ପୂର୍ବକ ଭୋଟ ଦାନ କରିବାକୁ ଡଃ ଶ୍ରୀଚନ୍ଦନ ଏକ ପ୍ରେସ୍ ଇସ୍ତାହାରରେ ନିବେଦନ କରିଛନ୍ତି ।


