ଭାବ ବନ୍ଧନ
ଭକତ ଭକତି
ଡୋରିରେ ବନ୍ଧନ
ଅନୁଭୂତି ପ୍ରଭୁ କୁହ,
ଯେତେ ଦୂରେ ଥାଅ
ତା ଭାବ ଭକ୍ତିରେ
କାହିଁକି ଅଥୟ ହୁଅ !
ରତ୍ନସିଂହାସନ
ଥର ଥର ହୁଏ
ଅସ୍ଥିର ହୁଅଇ ମନ,
କିଏ ସେ ଭକତ
କାହିଁକି ଡାକୁଛି
ତୁମେ ଡେରିଥାଅ କର୍ଣ୍ଣ !
କର୍ଣ୍ଣଡେରି ବାରେ
ଡାକ ଭାବ ଶୁଣି
ସମାଧାନ ତାର କର,
କାହାଠୁ ନେଇଛ
କାହାଠୁ ଖାଇଛ
ବିଚାର କି ଅବିଚାର !
ସୁଦାମାର ଘରେ
ଖୁଦଭଜା ଖାଇ
ଦାସିଆ ନଡ଼ିଆ ନେଲ,
ବିଦୂରର ଘରେ
ଶାଗଭଜା ଖାଇ
ଭାବ ଡୋରେ ବନ୍ଧାହେଲ !
ବିଚାର ହେ ପ୍ରଭୁ
ତୁମେ ଥିଲାବାଲା
ନ ଥିଲାଠୁ ନେଲ କାହିଁ,
ନ ନେଲେ ନ ହେବ
ଭାବ ବନ୍ଧନରୁ
ମୁକୁଳି ପାରିବ ନାହିଁ !
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ


